ଯୁକ୍ତ ୨ ପଞ୍ଚାୟତ ମହାବିଦ୍ୟାଳୟରେ କିରାଣୀ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ, ନିଯୁକ୍ତି ରଦ୍ଦ ସହ ପୁନଃ ପରୀକ୍ଷା ଦାବି

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ୍ ଅନ୍ତର୍ଗତ କଲା ଗ୍ରାମ ସ୍ଥିତ ଯୁକ୍ତ୨ ପଞ୍ଚାୟତ ମହାବିଦ୍ୟାଳୟରେ କିରାଣୀ ନିଯୁକ୍ତିରେ ବ୍ୟାପକ ଚଞ୍ଚକତା ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଏକାଧିକ ଆଶାୟୀ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ କଲା ଯୁକ୍ତ ୨ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ୟାପକ, କିରାଣୀ, ପିଅନ ଓ ଝାଡୁଦାର ପଦବୀ ପାଇଁ ପରୀକ୍ଷା ଓ ସାକ୍ଷାତକାର ସମ୍ପର୍କରେ ଜିଲ୍ଲା ୱେବସାଇଟରେ ସୂଚନା ବିନା ଗତ ୧୫ ତାରିଖ ଦିନ ପରୀକ୍ଷା ଓ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ଏବଂ ସେହି ଦିନ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା।

ଏଥିରେ କିରାଣୀ ପଦବୀ ପାଇଁ ଉମାକାନ୍ତ ସାହୁଙ୍କ ନାମ ଘୋଷଣା କରାଯାଇଥିଲା। ଏଥିରେ ଅସନ୍ତୁଷ୍ଟ ଅନ୍ୟ ଆଶାୟୀ ମାନେ ଏହାର ଦୃଢ ବିରୋଧ କରିବା ସହ କିରାଣୀ ଭାବେ ନିଯୁକ୍ତି ଦିଆ ଯାଇଥିବା ଉମାକାନ୍ତ ସାହୁ ଉକ୍ତ ମହା ବିଦ୍ୟାଳୟରେ ପୂର୍ବରୁ ଶିକ୍ଷାଦାନ କରୁଥିବା ଏବଂ ଉକ୍ତ ମହାବିଦ୍ୟାଳୟର ଅନ୍ୟ କେତେକ ଅଧ୍ୟାପକଙ୍କ ସହ ମିଶି ଘରୋଇ କୋଚିଂ ସେଣ୍ଟର ଖୋଲିଥିବାରୁ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ସେହି ଅଧ୍ୟାପକଙ୍କ ସହାୟତାରେ ଶ୍ରୀ ସାହୁଙ୍କୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରର ସୂଚନା ଥିବା ଏବଂ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବାରୁ ଏହି ପରୀକ୍ଷା ବାତିଲ କରାଯାଇ ପୁନଃ ପରୀକ୍ଷା କରାଯିବା ଏବଂ ଅନ୍ୟତ୍ର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ୧୫ ଦିନ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ରଞ୍ଜନ କୁମାର ବେହେରା, ଆନନ୍ଦ ନାଏକ, ସୁଶୀଲ ନାଏକ, ପ୍ରଭାତ ବେହେରା, ମାନସ ପ୍ରଧାନ ଓ ଚକ୍ରଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।