ଝାରସୁଗୁଡା,ଏନ୍ଏନ୍ଏସ୍: ମିରର ଥିଏଟର ବେଲପାହାଡ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନାଟକ ‘ଉଲ୍ପି’ ପ୍ରଦର୍ଶିତ ହୋଇଯାଇଛି। ଉଲାପଗଡ଼ର ଇତିହାସ ଓ ପୌରାଣିକ କିମ୍ବଦନ୍ତୀକୁ ନେଇ ନାଟକ ‘ଉଲ୍ପି’ ପ୍ରଦର୍ଶିତ ହୋଇଥିବାବେଳେ ମିରର ଥିଏଟର ନିର୍ଦେଶକ ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି। ଏହି ନାଟକରେ ମିରର ଥିଏଟର ନାଟ୍ୟ କଳାକାର ସନ୍ତୋଷ ସାହୁ, କାହ୍ନା ବଗାର ଓ ସୋନିଆଁ ବେହେରା ଅତି ନିଖୁଣତାର ସହିତ ଅଭିନୟ କରିଥିଲେ। ପୌରାଣିକ ତଥ୍ୟ ଅନୁସାରେ ବେଲପାହାଡ଼ ନିକଟସ୍ଥ ଉଲାପଗଡ଼ ନାମ ନାଗ ବଂଶର ରାଜକୁମାରୀ ଉଲ୍ପିଙ୍କ ନାମରେ ଅନୁସାରେ ନାମିତ ହୋଇଛି। ଯେଉଁଠି ଆଜି ମଧ୍ୟ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଏକ ଦୁର୍ଗ ରହିଛି। ସେହି ସ୍ଥାନରେ ମାଆ ମାଣିକେଶ୍ୱରୀ ପୂଜା ପାଉଛନ୍ତି। ନାଟକ ଉଲ୍ପିରେ ଅର୍ଜୁନ ଓ ଉଲ୍ପିଙ୍କ ପ୍ରେମ କାହାଣୀର କଥା ଓ ନାଗ ବଂଶୀସହ ପାଣ୍ଡବମାନଙ୍କ ମଧ୍ୟରେ ଥିବା ଶତୃତା କେମିତି ମିତ୍ରତାରେ ପରିଣତ ହୋଇଥିଲା ତାହା ପ୍ରଦର୍ଶିତ ହୋଇଛି।
ପରବର୍ତ୍ତୀ ସମୟରେ ଏହି ଉଲାପଗଡ଼ରେ ଅର୍ଜୁନ ଓ ଉଲ୍ପିଙ୍କ ପୁତ୍ର ଇରାବନ ରାଜୁତୀ କରୁଥିବା ପୋଥୀ ଓ ପୁରାଣରେ ଉଲ୍ଲେଖ ରହିଛି। ନାଟକ ମାଧ୍ୟମରେ ଏହି ଅଂଚଳର ଅନନ୍ୟ ଧରୋହର ଉଲାପଗଡ଼କୁ ଲୋକଲୋଚନକୁ ଆଣିବା ପାଇଁ ମିରର ଥିଏଟର ପକ୍ଷରୁ ଏକ ଛୋଟ ପ୍ରୟାସ କରାଯାଇଛି ବୋଲି ନିର୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି। ନାଟକ ପରିବେଷଣ ଅବସରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ, ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ଟିଆଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ଡ. ସନ୍ତୋଷ ମିଶ୍ର, ଗୁମାଡେରା ଜମିଦାର ବ୍ରଜକିଶୋର ସିଂହଦେଓ, ଗୌନ୍ତିଆ ଦୁବରାଜ ନାଏକ, ଉଲାପଗଡ଼ ଗ୍ରାମର ମୁଖିଆ କ୍ଷୀରୋଦ ସିଂହ, ଝାରସୁଗୁଡ଼ା ପ୍ରେସ କ୍ଲବର ସଭାପତି ସନ୍ତୋଷ ମିଶ୍ର, ଶ୍ୟାମ ସୁନ୍ଦର ଶତପଥୀ, କହ୍ନେଇ ସେଠ, ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖଙ୍କ ସହ ମିରର ଥିଏଟରର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।