ମ୍ୟାରିଟାଇମ ମ୍ୟୁଜିୟମରେ ଭୁଲ ଭୁଲେୟା, ପାଦ ଥାପିଲେ ହୋଇଯିବେ ବାଟବଣା

କଟକ,ଏନ୍ଏନ୍ଏସ୍: ସିଲଭରସିଟିରେ ଭୁଲ ଭୁଲେୟା । ଏହା କୌଣସି ଫିଲ୍ମର ନାମ ନୁହେଁ ବରଂ ଏହା ହେଉଛି ଏକ ଦର୍ପଣ ପ୍ରହେଳିକା । ଲୋକ ମାନଙ୍କୁ ଆଚମ୍ବିତ କରିବା ପାଇଁ କଟକରେ ଥିବା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ହୋଇଛି ଆରମ୍ଭ ମିରର ମେଜ । ଏହି ଭୁଲ ଭୁଲେୟା ମଧ୍ୟରେ ପାଦ ରଖିଲେ ଦର୍ଶକ ହୋଇଯାଉଛନ୍ତି ଆଚମ୍ବିତ ।

କାରଣ ଭୁଲ ଭୁଲେୟା ମଧ୍ୟକୁ ପସୁ ପସୁ ସାମ୍ନାରେ ଆସିଯିବ ଅନେକ ବାଟ । କିନ୍ତୁ ପ୍ରବେଶ କରିବାକୁ ଚେଷ୍ଟା କଲେ ବାଜିବ ଦର୍ପଣ । ସଠିକ ବାଟ ବାଛିବା ପାଇଁ ଲାଗିଯିବ ଅନେକ ସମୟ । ଏହାରି ଭିତରେ ଯଦି ଏହି ଭୁଲ ଭୁଲେୟା ମଧ୍ୟରେ ଅବାଟରେ ପସିଗଲେ ତେବେ କଥା ସରିଲା। ଅନ୍ୟର ନେବାକୁ ପଡ଼ିବ ସାହାରା । ଏହାସହ ଏହି ମିରର ମେଜ ମଧ୍ୟରେ ରହିଛନ୍ତି ଅନେକ ଥ୍ରୀଡି ଜଳଜନ୍ତୁ । ଯାହା କୌଣସି ମୂହୁର୍ତ୍ତରେ ଦର୍ଶକଙ୍କୁ କରୁଛନ୍ତି ଆକ୍ରମଣ । ଯାହା ଏହି ଭୁଲ ଭୁଲେୟାର ଅନ୍ୟ ଏକ ଆକର୍ଷଣ ଦିଗ ।

ତେବେ କଟକରେ ଏହା ପ୍ରଥମ ଖୋଲିବା ପରେ ପ୍ରତିଦିନ ଦର୍ଶକଙ୍କ ଭିଡ଼ ଲାଗୁଛି । ଅନ୍ୟପଟେ ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ଏହି ଭୁଲ ଭୁଲେୟା । କାର୍ଟୁନ ସାଙ୍ଗକୁ ବିଭିନ୍ନ ରଙ୍ଗରର ଲାଇଟ ମଧ୍ୟ ଏହି କୋଠରୀରେ ରହିଛି । ଯାହା ଦର୍ଶକ ମାନଙ୍କ ମନକୁ ଆହୁରି ଆନନ୍ଦିତ କରୁଛି ।

ଅନ୍ୟପଟେ ଦେଶ ବିଦେଶର ବିରଳ ମାଛକୁ ସଂଗ୍ରହାଳୟ ଦେଖିବାକୁ ପାଉଛନ୍ତି ଦର୍ଶକ । ଯେପରି ଆରୋଆନା, ପିରାନା, ରେଡ଼ କ୍ୟାଟ ଫିସ , ଓ ଅନେକ ବିରଳ ସାମୁଦ୍ରିକ ମାଛକୁ ଏହି ସଂଗ୍ରହାଳୟ ରଖାଯାଇଛି । ଯାହାର ମଜା ଉଠାଉଛନ୍ତି ପର୍ଯ୍ୟଟକ । ତେବେ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଏହି ଦୁଇ ନୂତନ ଯୋଜନା ଯୋଡି ହେବା ପରେ ସଂଗ୍ରହାଳୟ ଚାହିଦା ଦ୍ବିଗୁଣିତ ହୋଇଛି । ପର୍ଯ୍ୟଟକଙ୍କ ଚାହିଦାକୁ ନଜରରେ ରଖି ଆଗାମୀ ଦିନରେ ଏହି ଭୁଲ ଭୁଲେୟାକୁ ଆହୁରି ସମ୍ପ୍ରସାରଣ କରାଯିବା ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।