ଅପହଞ୍ଚ ଗ୍ରାମାଞ୍ଚଳରେ ୪ଜି ସେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ୟାକେଜ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ୪ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ ୨୬ ହାଜର ୩୧୬ କୋଟି ଟଙ୍କାର ବ୍ୟୟ କରାଯିବ । ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ଜି ସେବା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଡିଜିଟାଲ ସମାବେଶନ ଏବଂ ସମସ୍ତଙ୍କୁ ଯୋଗାଯୋଗ ସୁବିଧା ପ୍ରଦାନ କରିବା ସରକାରଙ୍କ ‘ଅନ୍ତ୍ୟୋଦୟ’ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ ବୋଲି କୁହାଯାଇଛି । ଗତ ବର୍ଷ ସରକାର ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭ ହଜାର ୨୮୭ ଟି ଅପହଞ୍ଚ ଇଲାକାରେ ୪ଜି ମୋବାଇଲ ସେବା ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ସ୍ବାଧୀନତା ଦିବସ ଅଭିଭାଷଣରେ ସବୁ ସରକାରୀ ଯୋଜନାର ପରିପୂର୍ଣ୍ଣତା ପାଇଁ ଆହ୍ବାନ ଦେଇଥିଲେ । ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମାଧ୍ୟମରେ ଦେଶର ଉପାନ୍ତ ଏବଂ ଅପହଞ୍ଚ ଇଲାକାରେ ଥିବା ୨୪ ହଜାର ୬୮୦ଟି ଗାଁକୁ ୪ଜି ମୋବାଇଲ ସେବା ଯୋଗାଇ ଦିଆଯିବ । ଥଇଥାନ, ନୂଆ ବସତି ସ୍ଥାପନ, ବର୍ତ୍ତମାନର ପରିଚାଳକମାନଙ୍କ ଦ୍ବାରା ସେବା ପ୍ରତ୍ୟାହାର ଆଦି କାରଣ ପାଇଁ ୨୦% ଅତିରିକ୍ତ ଗାଁକୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ କେବଳ ୨ଜି/୩ଜି କନେକ୍ଟିଭିଟି ସେବା ରହିଥିବା ୬ ହଜାର ୨୭୯ ଟି ଗାଁରେ ମୋବାଇଲ ସେବାକୁ ୪ଜିକୁ ଉନ୍ନତିକରଣ କରାଯିବ ।