ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ନଳିନୀ ଛକରୁ ଟ୍ରାଫିକ ପୁଲିସ ଜଣେ ୯ ବର୍ଷର ନାବାଳିକାକୁ ଉଦ୍ଧାର କରିଛି । ନାବାଳିକା ଜଣକ ଟ୍ରାଫିକ ପାଖରେ କାନ୍ଦୁଥିବା ସମୟରେ ଟ୍ରାଫିକ ପୁଲିସ ପ୍ରତିମା ବଗର୍ତ୍ତି ଓ ସୁନିତା ପାତ୍ରଙ୍କ ନଜର ପଡ଼ିଥିଲା । ଝିଅଟିକୁ ପଚରାଉଚୁରା କରିବା ପରେ କେହି ଜଣେ ଅପହରଣ କରି ଆଣି ଛାଡ଼ି ଦେଇଥିବା ଜଣାପଡ଼ିଥିଲା । ଟ୍ରାଫିକ ପୁଲିସ ଦ୍ୱୟ ଝିଅଟିକୁ ଥାନାରେ ଜିମା ଦେଇଛନ୍ତି । ପୁଲିସ ଅପହୃତା ଝିଅର ଠିକଣା ଖୋଜିବା ସହିତ ଜିଲ୍ଲାର ଶିଶୁ ସୁରକ୍ଷା କମିଟି ଓ ଚାଇଲ୍ଡ ଲାଇନକୁ ଖବର ଦେଇଛି ।
ଜଣେ ସମ୍ପର୍କୀୟ ସାନବାପା ତାଙ୍କୁ ବୁଲାଇବାକୁ ଆଣିଥିବା ଝିଅଟିଏ ବୟାନ ଦେଇଛି । ତେବେ ଝିଅଟି ଉତ୍ତରପ୍ରଦେଶର ଜୋନପୁର ନିକଟବର୍ତ୍ତୀ ତୁତିପୁର ଗାଁର ଖୁସି କୁମାରୀ ବିନ୍ଦ ବୋଲି କହିଛି । ତାଙ୍କ ବାପା ରମେଶ ବିନ୍ଦଙ୍କର କେବେଠାରୁ ମୃତ୍ୟୁ ହୋଇସାରିଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉତ୍ତର ପ୍ରଦେଶ ପୁଲିସ ସହିତ ଯୋଗାଯୋଗ କରି ଝିଅଟିକୁ ତା’ଘରେ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୁଲିସ ପକ୍ଷରୁ ଚାଇଲ୍ଡ ଲାଇନକୁ ନାବାଳିକାର ଦାୟିତ୍ୱ ହସ୍ତାନ୍ତର କରିଯାଇଥିବା ଜଣାପଡ଼ିଛି ।