ଦେଶରେ ଅକ୍ସିଜେନ ଅଭାବ ମେଣ୍ଟାଇବାକୁ ଅଣ୍ଟାଭିଡିଛି ଷ୍ଟିଲ ଓ ପେଟ୍ରୋଲିୟମ ମନ୍ତ୍ରାଳୟ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଭାରତ କରୋନା ବିରୋଧରେ ଲଢେଇ ଜାରି ରଖିଛି। ଗତ କିଛିଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖାଯାଇଛି। ଏହି ଅଭାବ ମେଣ୍ଟାଇବା ପାଇଁ ସମଗ୍ର ଦେଶରେ ଥିବା ଷ୍ଟିଲ ଓ ପେଟ୍ରୋଲିୟମ ମନ୍ତ୍ରାଳୟର ବିଭିନ୍ନ ଉଦ୍ୟୋଗ ଆଗେଇ ଆସିଛନ୍ତି।

ବର୍ତ୍ତମାନ ସମଗ୍ର ଭାରତର ଅକ୍ସିଜେନ ଉତ୍ପାଦନ କ୍ଷମତା ୭ ହଜାରରୁ ୭,୨୦୦ ମେଟ୍ରିକ ଟନ ଥିଲା ବେଳେ ସେଥିରୁ ୪ ହଜାରରୁ ୪୫୦୦ ମେଟ୍ରିକ ଟନ୍ ଅକ୍ସିଜେନ ଭାରତର ବିଭିନ୍ନ ରାଜ୍ୟକୁ ଯୋଗା ଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ତତ୍ତ୍ୱାବଧାନରେ ଏହାର ଦୈନନ୍ଦିନ ଉତ୍ପାଦନ ଏବଂ ଯୋଗାଣକୁ ତଦାରଖ କରୁଛନ୍ତି।

ଷ୍ଟିଲ୍ ପ୍ଲାଣ୍ଟ ଗୁଡିକ ସେମାନଙ୍କର କ୍ଷମତା ଠାରୁ ଅଧିକ ଅକ୍ସିଜେନ୍ ଉତ୍ପାଦନ କରୁଛନ୍ତି। ପ୍ଲାଣ୍ଟ ଗୁଡିକର ରିଜର୍ଭ କ୍ଷମତା ୩.୫ରୁ କମାଇ ୦.୫ କୁ କରିଦିଆଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନୀ ଯାହା ଷ୍ଟିଲ ମନ୍ତ୍ରାଳୟ ଅଧୀନରେ ଆସୁଛି ସେଥିରୁ ୧୪୦ ଟନ୍ ଅକ୍ସିଜେନ ପ୍ରତ୍ୟେକ ଦିନ ମେଡିକାଲ ମାନଙ୍କୁ ଯୋଗାଯାଉଛି।