ସେନାର ଭର୍ତ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୈନ୍ୟ ବିଭାଗର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ, ଭର୍ତ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି । ଅନେକ ବର୍ଷ ତଳୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୨ ବର୍ଷ ହେବ ବିଚାର ବିମର୍ଶ ଚାଲିଛି । ଏନେଇ ୩ ସେନା ମୁଖ୍ୟ ଓ ଦିବଙ୍ଗତ ସିଡିଏସ ବିପିନ ରାୱତ ଲଗାତାର ବିମର୍ଶ କରୁଥିଲେ । ଅନେକ କମିଟିର ମତାମତ ଓ ବିଦେଶୀ ଢାଞ୍ଚାକୁ ପ୍ରସ୍ତୁତ କରି ସ୍କିମ ପ୍ରସ୍ତୁତ କରାଯାଇଛି ।

ଅନିଲ ପୁରୀ ଆହୁରି କହିଛନ୍ତି ଯେ, ଆବେଦନକାରୀଙ୍କୁ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ । ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ, ସେମାନଙ୍କୁ ସୁଯୋଗ ମିଳିବନି । ଦେଶର ସୁରକ୍ଷା କଥା ହୋଇଥିବାରୁ ଆମକୁ ସର୍ବଶ୍ରେଷ୍ଠ ଦରକାର । ଯୁବପୀଢ଼ୀଙ୍କୁ ଦେଶଭକ୍ତିର ସୁଯୋଗ ଦେଉଛୁ ଆଦୌ ହାତଛଡ଼ା କରନ୍ତୁ ନାହିଁ । ଆମର ୫୦ ପ୍ରତିଶତ ଯୁବକ ୨୫ ବର୍ଷରୁ କମ୍ ରହିଛନ୍ତି । ସେନାକୁ ଏହାର ଅଧିକରୁ ଅଧିକ ଲାଭ ଉଠାଇବା ଉଚିତ ।