ଅଗ୍ନିପଥ କେବଳ ଏକ ଯୋଜନା ନୁହେଁ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତ ହୋଇଥିବା ‘ଅଗ୍ନିପଥ’ ଯୋଜନାକୁ କେନ୍ଦ୍ର କରି ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଇତିମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ବଡ଼ ବୟାନ ଦେଇଛନ୍ତି । ଡୋଭାଲ କହିଛନ୍ତି ଯେ, ଏହା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବର୍ତ୍ତମାନ ପଡ଼ୋଶୀ ରାଷ୍ଟ୍ରର ସ୍ଥିତି ବଦଳୁଛି । ସେଥିପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ‘ଅଗ୍ନିପଥ’ ଯୋଜନାକୁ ପ୍ରସ୍ତୁତ କରାଯାଇଛି ।

ଅଜିତ ଡୋଭାଲ ଆହୁରି କହିଛନ୍ତି ଯେ, ଗତ ୮ ବର୍ଷରେ ଭାରତୀୟ ସେନାରେ ଅନେକ ପରିବର୍ତ୍ତନ ଅଣାଯାଇଛି । ୨୫ ବର୍ଷ ହେବ ସିଡିଏସ ପ୍ରସଙ୍ଗ ପଡ଼ି ରହିଥିଲା । ରାଜନୈତିକ ଇଚ୍ଛାଶକ୍ତି ନଥିବାରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନଥିଲା । କଶ୍ମୀର ପ୍ରସଙ୍ଗକୁ ନେଇ ଆମେ ଚିନ୍ତିତ ଅଛୁ । ରେଜିମେଣ୍ଟ ସିଦ୍ଧାନ୍ତ ସହ କୌଣସି ପରିବର୍ତ୍ତନ କରାଯିବ ନାହିଁ । ସମ୍ପୂର୍ଣ୍ଣ ଆର୍ମିରେ କେବଳ ଅଗ୍ନିବୀର ରହିବେ ନାହିଁ, ଏଥିରେ କେବଳ ପ୍ରଥମ ୪ ବର୍ଷରେ ଭର୍ତ୍ତି ହୋଇଥିବା ଯବାନ ରହିବେ । ସେନାର ବଡ଼ ଅଂଶରେ ଅନୁଭବୀ ଲୋକ ରହିବେ । ଯେଉଁ ଅଗ୍ନିବୀର ୪ ବର୍ଷ ପରେ ନିୟମିତ ହେବେ ସେମାନଙ୍କୁ କଡ଼ା ଟ୍ରେନିଂ ଦିଆଯିବ ।