ମନ୍ତ୍ରୀଙ୍କ ଉଦାରତା: ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ

ପିପିଲି,ଏନ୍ଏନ୍ଏସ୍: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା ଉପରେ ବେହୋସ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀଙ୍କ ଏହି ମହାନତା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସୂଚନା ଅନୁଯାୟୀ, ସିଫା ନିକଟରେ ବାଇକରେ ଯାଉଥିବା ଜଣେ ଯୁବକ ଆଜି ରାତି ୮ଟା ସମୟରେ କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖିନ ହୋଇ ରାସ୍ତା ଉପରେ ସଂଜ୍ଞାହୀନ ହୋଇ ପଡିଥିଲେ। ଘଟଣାସ୍ଥଳରେ ଗାଡିମୋଟର ଅଟକି ଯିବା ସହ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସେହି ବାଟ ଦେଇ ଭୁବନେଶ୍ୱର ଯାଉଥିଲେ। ଘଟଣାସ୍ଥଳରେ ମନ୍ତ୍ରୀ ଶ୍ରୀ ଦାଶ ଅଟକିଥିଲେ। ମନ୍ତ୍ରୀ ନିଜେ ସେଠାରୁ ଟ୍ରାଫିକ୍‍ ସମସ୍ୟା ତଥା ଲୋକଙ୍କ ଭିଡ ହଟାଇ ରାସ୍ତାରେ ଗାଡିମୋଟର ଚଳାଚଳକୁ ସ୍ୱାଭାବିକ୍‍ କରିବା ସହ ଗୁରୁତର ଆହତ ଯୁବକଙ୍କୁ ନିଜ ଗାଡିରେ ନେଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ସମ୍ପର୍କରେ ମନ୍ତ୍ରୀ ପିପିଲି ଏସଡିପିଓଙ୍କୁ ମୋବାଇଲ ଯୋଗେ ସୂଚନା ଦେବାପରେ ପିପିଲି ପୁଲିସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଦୁର୍ଘଟଣାଗସ୍ତ ବାଇକକୁ ଜବତ କରି ଫାଣ୍ଡିକୁ ନେଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମନ୍ତ୍ରୀ ହସପିଟାଲରେ ଉପସ୍ଥିତ ରହି ଆହତ ଯୁବକର ଚିକିତ୍ସାରେ ସହଯୋଗ କରୁଥିବା ସୂଚନା ମିଳିଛି। ଆହତ ଯୁବକର ଘର ପିପିଲି ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାମ ମୁନା ହୋଇଥିବା ସୂଚନା ମିଳିଛି।