ଚୋରା ଚାଲାଣ ବେଳେ କାଠ ଗଣ୍ଡି ସହ ମିନି ଟ୍ରକ ଜବତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବନାଞ୍ଚଳ ଲାଇମୁରା ସେକ୍ସନ ଗଣ୍ଡମ ବିଟ ଅନ୍ତର୍ଗତ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲ ଭାଲୁଚୁଆ ଗ୍ରାମ ନିକଟସ୍ଥ ଖୋଲଡ଼ିହ ଝାରପୁର ରାସ୍ତାରେ ବେଆଇନ କାଠ ଚୋରା ଚାଲାଣ ବେଳେ ବନ କର୍ମଚାରୀଙ୍କ ପଞ୍ଝାରେ ଚୋରା ଚାଲାଣକାରୀ ଫସିଥିଲେ ମଧ୍ୟ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛନ୍ତି । ଚୋରା ଚାଲାଣରେ ବ୍ୟବହୃତ କେନ୍ଦୁ କାଠ ଗଣ୍ଡି ବୋଝେଇ ମିନି ଟ୍ରକକୁ ଜବତ କରିବାରେମଧ୍ୟ ବନ ବିଭାଗ ସଫଳ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବନ କର୍ମଚାରୀଙ୍କ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଉଥିବାବେଳେ ଲାଇମୁରା ବନପାଳ ଛବିଳ ବେହେରା ଖୋଲଡ଼ିହ-ଝାରପୁର ରାସ୍ତାଦେଇ କାଠ ଚୋରା ଚାଲାଣ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଉକ୍ତ ରାସ୍ତାରେ ଛକି ରହିଥିଲେ । ତେବେ ବିଳମ୍ବିତ ରାତିରେ ଚୋରା କାଠ ବୋଝେଇ ଗାଡ଼ିଟି ଉକ୍ତ ରାସ୍ତା ଦେଇ ଆସୁଥିବାବେଳେ ସେଠାରେ ଥିବା ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଓ ତାଙ୍କ ସହଯୋଗୀମାନେ ଅନ୍ଧାରର ସୁଯୋଗରେ ଗାଡ଼ି ଛାଡ଼ି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା ବନ କର୍ମଚାରୀମାନେ କାଠ ବୋଝେଇ ମିନି ଟ୍ରକକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।