ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ୨ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ କଞ୍ଚଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଧନୁ ତୀର ଓ କୁରାଢ଼ୀ ଆଦି ମରଣାସ୍ତ୍ର ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, କଞ୍ଚଡ଼ା ଗ୍ରାମର ଦାସରଥୀ ମୁଣ୍ଡାଙ୍କ ସହ ଉକ୍ତ ଗ୍ରାମର ଅଜୟ ମୁଣ୍ଡାଙ୍କ କୌଣସି କାରଣରୁ ବିବାଦ ଥିବାବେଳେ ଅଜୟ ବିରୁଦ୍ଧରେ ଦାଶରଥି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଥାନାରେ ମିଳାମିଶା ହୋଇଯାଇଥିଲା । ମାତ୍ର ଏହି ଘଟଣାକୁ ନେଇ ଅଜୟଙ୍କ ମନରେ ଅସନ୍ତୋଷ କୁହୁଳୁ ଥିବାବେଳେ ଗତକାଲି ଦଶରଥୀ ଘରେ ଏକୁଟିଆ ଥିବା ସମୟରେ ଅଜୟ ଓ ତାଙ୍କ ଭାଇ ମସ୍ତିକ ମୁଣ୍ଡା ରାତିରେ ତାଙ୍କ ଘରକୁ ଆସି ଡାକିଥିଲେ । ଦାଶରଥୀ ଘରୁ ବାହାରକୁ ଆସିବା ପରେ ଉଭୟ ଧନୁ ତୀର, ଦେଶୀ ବନ୍ଧୁକ ଓ କୁରାଢ଼ୀ ଧରି ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ତେବେ ଦଶରଥୀ କୌଶଳପୂର୍ବକ ଆକ୍ରମଣରୁ ବର୍ତ୍ତି ଯାଇ ଗାଁରୁ ଦୌଡ଼ି ପଳାଇ ପୁଲିସକୁ ୧୧୨ ଯୋଗେ ସୂଚନା ଦେଇଥିଲେ । ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତ ଭାଇଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ସମସ୍ତ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି ।