ମଦଭାଟି ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡିସ୍ଥିତ ବିନ୍ଦନବାହାଳି ମଦଭାଟି ମ୍ୟାନେଜର ଓ ସେଲ୍ସମ୍ୟାନଙ୍କୁ ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିଛନ୍ତି । କେବଳ ଏତିକି ନୁହେଁ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ ମଧ୍ୟ ଲୁଟ କରି ଦୁର୍ବୁତ୍ତମାନେ ଫେରାର ମାରିଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ସାଇଣ୍ଟିଫିକ ଟିମ୍ ଓ ସଇଁନ୍ତଲା ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟାରେ ୮ରୁ ୧୦ ଜଣ ଦୁର୍ବୁତ୍ତ ଭଦ୍ରା ମଦ ଭାଟିକୁ ମଦ କିଣିବା ବାହାନାରେ ଯାଇଥିଲେ । ହଠାତ ଭାଟିର ମ୍ୟାନେଜର ଓ ସେଲ୍ସମ୍ୟାନଙ୍କୁ ମାଡ଼ ମାରିବା ପରେ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭାଟିରେ ଥିବା ୧ଲକ୍ଷ ୮୦ ହଜାର ଟଙ୍କା ସହ ୨ଟି ମୋବାଇଲ ଫୋନ ଲୁଟ କରି ଫେରାର ମାରିଥିଲେ । ଏନେଇ ଭାଟି ମ୍ୟାନେଜର ପିଙ୍କୁ ସିଂ ସଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।