ବିକାଶ ପ୍ରକଳ୍ପରେ ଦୁର୍ନୀତି ବରଦାସ୍ତ କରାଯିବ ନାହିଁ: ନରସିଂହ ମିଶ୍ର

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: କରୋନା ସଂକ୍ରମଣ ଯୋଗୁ ଦୀର୍ଘ ଦେଢ଼ ବର୍ଷ ପରେ ଆଜି ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଦୁଃଖର ବିଷୟ ଶେଷ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି କି ନାହିଁ ତାହା ମଧ୍ୟ ଅଧିକାରୀମାନେ ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି । ଏଥିରୁ ଗତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଅଣଦେଖା କରାଯାଇଛି ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ବିଭିନ୍ନ ଦୁର୍ନୀତି ଅନୁସନ୍ଧାନ ସହିତ ତା’ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନେ ଉତ୍ସାହ ନ ଦେଖାଇବା ଅତି ଦୁର୍ଭାଗ୍ୟଜନକ । ତେଣୁ ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ ନ କରି ତାଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି ।

ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରି ଓ ଅତିରିକ୍ତ ପୁଲିସ ଅଧୀକ୍ଷକ ମଞ୍ଚାସିନ ଥିଲେ । ଏଥିରେ ମହାରାଣୀ ସାଗର ଓ ରାଣୀ ବନ୍ଧର ସୌନ୍ଦର୍ଯ୍ୟକରଣ କାମ କାହିଁକି ଆରମ୍ଭ ହେଉନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । କରଙ୍ଗାକଟା କାମ ଆରମ୍ଭ ହୋଇସାରିଛି । ଯଥାଶୀଘ୍ର ରାଣୀବନ୍ଧ କାମ ଆରମ୍ଭ ହେବ । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଟେଙ୍କର ଯୋଗେ ପିଇବା ପାଣି ଯୋଗାଣରେ ଏକ ସବିଶେଷ ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ବିସ୍ଥାପିତଙ୍କ ପାଇଁ ନିର୍ମାଣ ହେଉଥିବା ବାସଗୃହ ମାନଙ୍କରେ ପିଇବା ପାଣି ପାଇପ ସଂଯୋଗକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସହର ୪ କଡ଼ରେ ଚାଲିଥିବା ରିଂରୋଡ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି । ଆଗାମୀ ୩ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଦେଇଥିଲେ । ଶେଷରେ ସମୟର ସ୍ୱଳ୍ପତା ଯୋଗୁ ବୈଠକକୁ ଅଧାରୁ ବନ୍ଦ କରି ପରବର୍ତ୍ତୀ ସମୟରେ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ମିଶ୍ର ଆଜିର ବୈଠକକୁ ମୁଲତବି ଘୋଷଣା କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।