କଟକ,ଏନ୍ଏନ୍ଏସ (ଆଲୋକ ନାୟକ) ଓଲିଉଡର ବେତାଜ ବାଦଶାହା ମିହିର ଦାସଙ୍କ ଶରୀର ପଞ୍ଚଭୂତରେ ଆଜି ବିଲୀନ ହୋଇଛି। ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ କରାଯାଇଛି। ପୁତ୍ର ଅମ୍ଳାନ ଦାସ ମୁଖାଗ୍ନି ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। କଟକରେ ଆଜି ସକାଳୁ କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିଲେ ବି ଶହଶହ ପ୍ରଶଂସକ ତାଙ୍କ ପ୍ରିୟ ଅଭିନେତାଙ୍କ ଶେଷଯାତ୍ରାରେ ନିଜକୁ ସାମିଲ କରିଥିଲେ।
ମିହିରଙ୍କ ମରଶରୀର ପହଞ୍ଚିବା ପୂର୍ବରୁ ସତୀଚଉରା ଶ୍ମଶାନ ଲୋକାରଣ୍ୟ ହୋଇପଡ଼ିଥିଲା। ବହୁ ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ମିହିରଙ୍କ ଶେଷ ଦର୍ଶନ କରିବା ଲାଗି ସେଠାରେ ଦୀର୍ଘ ସମୟ ଛିଡ଼ା ହୋଇଥିଲେ। ପରିବେଶ ସମ୍ପୂର୍ଣ୍ଣ ଶୋକାକୂଳ ପାଲଟି ଯାଇଥିଲା। ଲୁହଭିଜା ଆଖିରେ ତାଙ୍କୁ ବିିଦାୟ ଦେଲେ ତାଙ୍କର ଅଗଣିତ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଏକ ସୁସଜ୍ଜିତ ଗାଡିରେ ମିହିରଙ୍କ ନିଆଯାଇଥିଲା। ବିରାଟ ଶୋଭାଯାତ୍ରାରେ ଘରୁ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯାଇଥିଲା ମିହିରଙ୍କ ପାର୍ଥିବ ଶରୀର। ସେଠାରୁ ସତୀଚଉରା ଶ୍ମଶାନକୁ ଅଣାଯାଇଥିଲା। ଗାର୍ଡ଼ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ତାଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ଅନ୍ୟନା ଦାସ, ପୂର୍ବତନ କର୍ପୋରେଟର ଗିରିବାଳା ବେହେରା ଅଭିନେତା କୁନା ତ୍ରିପାଠୀ,ସିଦ୍ଧାନ୍ତ ମହାପାତ୍ର, ପୃଥ୍ୱୀରାଜ ନାୟକ, ବ୍ରଜ ସିଂହ, ରବି ମିଶ୍ର, ବବି ଇସ୍ଲାମ୍,ଜତିନ ନାୟକ,ଇଲୁ ବାନାର୍ଜୀ,ଚଣ୍ଡି ପରିଜା, ବବି ମିଶ୍ର,ଶ୍ରୀତମ୍ ଦାସ,ସାତ୍ତ୍ୱକୀ ମିଶ୍ର,ପ୍ରେମାନନ୍ଦ,ଅଭିଜିତ୍ ମଜୁମ୍ଦାର, ମୁନା ମୋଦୀ,ମିଟୁ ମିଥୁନ୍ଙ୍କ ସମେତ ବହୁ ଅଭିନେତା ଉପସ୍ଥିତ ଥିଲେ।