କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କନ୍ଧମାଳ,ଦାରିଙ୍ଗବାଡ଼ି,ଏନ୍‌ଏନ୍‌ଏସ୍‌: କାମ କରିବା ପାଇଁ କେରଳ ଯାଇଥିବା ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତଦେହ ଘରକୁ ଫେରିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦଡ଼ି ଗାଁର ରମେଶ ପ୍ରଧାନଙ୍କ ପୁଅ ବିବେକ ପ୍ରଧାନ ପ୍ରାୟ ମାସେ ତଳେ ପେଟପାଟଣା ପାଇଁ ସୁଦୂର କେରଳ ଯାଇ ଏକ ଟାଇଲ କମ୍ପାନୀରେ କାର୍ଯ୍ୟ କରୁଥିଲେ । ହେଲେ କିଛିଦିନ ତଳେ କାମ କରୁଥିବା ସମୟରେ ଅସୁସ୍ଥ ହେବାରୁ କମ୍ପାନୀ କର୍ମଚାରୀ ବିବେକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେରଳର ତ୍ରିଶୂର ମେଡିକାଲ କଲେଜର ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟପଟେ କେରଳରୁ ଶବ ଆଣିବା ପାଇଁ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଡା. ଆଶିଷ ଈଶ୍ୱର ପାଟିଲଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ତେଜ କୁମାର ବାଗେ, ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଗ୍ରାମ ବିକାଶ ଅନୁଷ୍ଠାନ ସହିତ କେରଳରେ ପ୍ରବାସୀ ସହାୟତା ଏବଂ ସୂଚନା ନେଟୱାର୍କ ଦୂରଭାଷାର କର୍ମୀ ରବୀନ୍ଦ୍ର ଡାକୁଆଙ୍କ ସହାୟତାରେ ବିବେକଙ୍କ ମୃତ୍ୟୁର ପ୍ରାୟ ୪୦ଘଣ୍ଟା ପରେ ମୃତଦେହ ଗାଁରେ ପହଞ୍ଚିଥିଲା ।

ଉଲ୍ଲେଖଥାଉ କି, ଗତ ଦେଢ଼ ବର୍ଷ ମଧ୍ୟରେ ୬ଟି ଦାଦନ ଶ୍ରମିକଙ୍କ ଶବ ଦାରିଙ୍ଗବାଡ଼ିକୁ ଆସିଥିବାବେଳେ ଆଜି ପୁଣି ଏକ ଶବ ଗାଁକୁ ଫେରିଛି । ବିବେକଙ୍କ ଘରେ କେହି ରୋଜଗାର କରୁନଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ଲୋକଙ୍କ ସହିତ ଅଞ୍ଚଳବାସୀ ଦାବି କରିଛନ୍ତି ।