ସୁପ୍ରିମକୋର୍ଟରେ ବିଲକିସ ବାନୋଙ୍କୁ ମିଳିଲା ନ୍ୟାୟ, ୨ ସପ୍ତାହରେ ଆତ୍ମସମର୍ପଣ କରିବେ ଦୋଷୀ

ନୂଆଦିଲ୍ଲୀ: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟ ୧୧ ଦୋଷୀଙ୍କୁ ୨ ସପ୍ତାହ ମଧ୍ୟରେ ଜେଲ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୨ରେ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ଜଣଙ୍କୁ ହତ୍ୟା ମାମଲାରେ ୧୧ ଜଣ ଦୋଷୀଙ୍କ ଦଣ୍ଡମୁକ୍ତ ନିଷ୍ପତ୍ତି ଗୁଜରାଟ ସରକାର ନେଇଥିଲେ । ଏଥିପାଇଁ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଭର୍ତ୍ସନା କରିବା ସହ ଦୋଷୀଙ୍କୁ ଦଣ୍ଡମୁକ୍ତ ରାୟକୁ ରଦ୍ଦ କରିଛନ୍ତି ।

ଜଷ୍ଟିସ ବୀବୀ ନାଗରତ୍ନା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ପୀଠ କହିଛନ୍ତି ଯେ, ଦୋଷୀଙ୍କୁ ଦଣ୍ଡମୁକ୍ତ ଫଇସଲା ଗୁଜରାଟ ସରକାର ବିନା ବିଚାରବିମର୍ଶରେ ପାରିତ କରିଛି । ମହିଳାଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲାରେ କ’ଣ ଦଣ୍ଡମୁକ୍ତର ଅଧିକାର ରହିଛି? ସମ୍ପୃକ୍ତ ମହିଳା ଯେକୌଣସି ଧର୍ମକୁ ମାନନ୍ତୁ ନା କାହିଁକି ତାଙ୍କୁ ନ୍ୟାୟ ମିଳିବା ଉଚିତ ।

କୋର୍ଟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଗୁଜରାଟ ସକ୍ଷମ ରାଜ୍ୟ ହୋଇନଥିବାରୁ ଦଣ୍ଡମୁକ୍ତ ଫଇସଲା ମହାରାଷ୍ଟ୍ର ସରକାରକୁ ନେବାର ଥିଲା ।