ଲକଡାଉନ ସମସ୍ୟା: ଟ୍ରକରେ ବୋଝେଇ ହୋଇ ଫେରୁଛନ୍ତି ଶ୍ରମିକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକଡାଉନ ଜାରି ରହିଥିବାବେଳେ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଆସିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଆଜି ଛତିଶଗଡ଼ରୁ ସହସ୍ରାଧିକ ଶ୍ରମିକ ଟ୍ରକରେ ବୋଝେଇ ହୋଇ ଝାରସୁଗୁଡ଼ା ଦେଇ ଝାଡ଼ଖଣ୍ଡ ଫେରୁଥିବା ଦେଖିବାକୁ ମିଳିଛି। ଲକଡାଉନ ଅବଧି ବାରମ୍ବାର ବୃଦ୍ଧି ପାଉଥିବାରୁ ଏମାନେ କାମ ହରାଇବା ସହ ପାଖରେ ସଁଚିତ ଥିବା ଟଙ୍କା ମଧ୍ୟ ଖର୍ଚ୍ଚ କରି ସାରିିଛନ୍ତି। ଏଭଳିି ସ୍ଥିତିରେ ସେମାନେ ଚାଲିଚାଲି ଅଥବା ଟ୍ରକ ଉପରେ ବସି ଘରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ଆଗାମୀ ଦିନରେ କାମ ଓ ଖାଇବା ନ ମିଳିବା ଭୟରେ ଏହି ଘରମୁହାଁ ଶ୍ରମିକମାନେ ବସ୍, ଟ୍ରେନ ଆଦି ଚଳାଚଳକୁ ଅପେକ୍ଷା କରି ପାରୁନାହାନ୍ତି। ଅନ୍ୟପଟେ ଏହି ଶ୍ରମିକମାନେ ରେଳ ଧାରଣାରେ ଅଥବା ରାସ୍ତାରେ ଚଲାବୁଲା ନ କରିବେ ସେଥିପ୍ରତି ଧ୍ୟାନ ଦେବାପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଶ୍ରମିକ ରାସ୍ତାରେ ଅବା ରେଳ ଧାରଣାରେ ଚାଲିଚାଲି ଯାଉଥିବା ନଜରକୁ ଆସନ୍ତି ତେବେ ତୁରନ୍ତ ସେମାନଙ୍କୁ ଖାଇବା ପିଇବା ଯୋଗାଇବା ସହ ଘରକୁ ଫେରିବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବାକୁ କୁହାଯାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।