ପହଞ୍ଚିଲାନି ଆମ୍ବୁଲାନ୍ସ, ପୁଲିସ ଗାଡିରେ ପ୍ରସବ କଲେ ପ୍ରବାସୀ ଶ୍ରମିକ

ଝାରସୁଗୁଡା,ଏନ୍ଏନ୍ଏସ୍: ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଝାରସୁଗୁଡା ରେଳ ଷ୍ଟେସନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ପୁଲିସ ଗାଡିରେ ପ୍ରସବ କଲେ ଜଣେ ପ୍ରବାସୀ ଶ୍ରମିକ ମହିଳା। ପରେ ଉକ୍ତ ମହିଳା ଓ ନବଜାତ ଶିଶୁ କନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍(୦୭୦୮୫) ଶ୍ରମିକଙ୍କୁ ନେଇ ହାଇଦ୍ରାବାଦରୁ ଦାନାପୁର ଅଭିମୁଖେ ବାହାରିଥିଲା। ଟ୍ରେନଟି ଝାରସୁଗୁଡା ପହଞ୍ଚିବା ପୂର୍ବରୁ ଜଣେ ମହିଳା ଶ୍ରମିକଙ୍କୁ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏ ସମ୍ପର୍କିତ ଖବରପାଇ କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ, ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ପୁଲିସ ଦଳ ଓ ଷ୍ଟେସନ ମାଷ୍ଟର ଆମ୍ବୁଲାନ୍ସକୁ ଖବର ଦେଇ ଟ୍ରେନଟିର ଅପେକ୍ଷା କରିଥିଲେ। ମାତ୍ର ଟ୍ରେନଟି ଝାରସୁଗୁଡା ପହଞ୍ଚିଥିଲେ ହେଁ ଆମ୍ବୁଲାନ୍ସ ଠିକ୍ ସମୟରେ ସେଠାରେ ପହଞ୍ଚି ନଥିଲା। ଫଳରେ ପୁଲିସ ପ୍ରଶାସନ ବାଧ୍ୟ ହୋଇ ମହିଳା ଜଣଙ୍କୁ ପୁଲିସ ଭ୍ୟାନରେ ଚିକିତ୍ସାଳୟ ଆଣୁଥିଲେ।

ଏହି ସମୟରେ ବାଟରେ ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ପୁଲିସ ପ୍ରଶାସନ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ହସ୍ପିଟାଲ ନେବାକୁ ଚେଷ୍ଟା କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।