ବିଦାୟ ଯାତ୍ରାରେ ବିଜୟ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚଭୂତରେ ଲୀନ ହୋଇଗଲେ ବିଜୟ ମହାନ୍ତି। ଚାରିଆଡ଼େ ଶୋକାକୁଳ ପରିବେଶ। ବିଜୟ ମହାନ୍ତିଙ୍କ ମୃତ୍ୟୁରେ ଭାବବିହ୍ୱଳ ବିଜୟ ପ୍ରେମୀ। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ତଥା ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଛି। ବିଜୟ ମହାନ୍ତିଙ୍କ ଏକମାତ୍ର ଜ୍ୱାଇଁ ଦେବଦତ୍ତ ଦାସ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନ ସହ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। କୋଭିଡ କଟକଣା ଯୋଗୁଁ ସୀମିତ ପରିବାର ଲୋକଙ୍କ ମଧ୍ୟରେ ଶେଷକୃତ୍ୟ କରାଯାଇଥିଲା। ମରଶରୀର ନିକଟରେ ବନ୍ଧୁପରିଜନଙ୍କ ସହ ଧର୍ମପତ୍ନୀ ତନ୍ଦ୍ରା ରାୟ ଏବଂ ଏକମାତ୍ର ଝିଅ ଉପସ୍ଥିତ ଥିଲେ।

ରାଜଧାନୀର ଘରୋଇ ହସ୍ପିଟାଲରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାରବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବରିଷ୍ଠ ଓ ନବାଗତ କଳାକାର ମଧ୍ୟ ବିଜୟଙ୍କ ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ଏହାପରେ ବିଜୟଙ୍କ କର୍ମମୟ ଜୀବନ ବିତିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ମରଶରୀରକୁ ନିଆଯାଇଥିଲା। ସେଠାରେ ଓଡ଼ିଆ ଚଳଚ୍ଚିତ୍ର ଓ ନାଟ୍ୟ ଜଗତର ବହୁ କଳାକାରଙ୍କ ସହ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜୟଙ୍କ କଳାର ଏନ୍ତୁଡ଼ିଶାଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ତଥା ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବହୁ ପ୍ରଶଂସକ ଏହି ବର୍ଷୀୟାନ ଅଭିନେତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ ନାୟକଙ୍କ ସମେତ ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ସିଦ୍ଧାନ୍ତ ମହାପାତ୍ର, ସି୍ନଗ୍ଧା ମହାନ୍ତି, ରାଇମୋହନ ପରିଡ଼ା, ପପୁ ପମ୍ପମ୍, ଅନୁ ଚୌଧୁରୀ, ସବ୍ୟସାଚ୍ଚୀ ମିଶ୍ର, ଉଷଶ୍ରୀ ମିଶ୍ର, ଭୂମିକା ଦାଶ ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କର ପରଲୋକ ଘଟିଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ୪୩ ବର୍ଷର ଯାତ୍ରାର ଅବସାନ ଘଟିଥିବାବେଳେ ସାରା ଓଡ଼ିଶା ତାଙ୍କ ବିୟୋଗରେ ସ୍ତବ୍ଧ। ୪୩ ବର୍ଷର ଅଭିନୟ ଜୀବନରେ ୨ଶହରୁ ଊଦ୍ଧ୍ୱର୍ ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଯାଇଛନ୍ତି ବିଜୟ।