ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-୨୯ ବିମାନ, ଉଡାଣ ବେଳେ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି

କୋଲକାତା: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-୨୯ ବିମାନ । ରୁଟିନ ଟ୍ରେନିଂ ଉଡ଼ାଣ ଭରିଥିବା ବେଳେ ବିମାନରୁ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି । ପଶ୍ଚିମବଙ୍ଗର ମିଡନାପୁର ପଶ୍ଚିମ ଜିଲ୍ଲାର କାଲାଇକୁଣ୍ଡା ଏୟାରବେସ୍ ନିକଟରେ ଥିବା ଏକ ଜଙ୍ଗଲରେ ଇନ୍ଧନ ଟାଙ୍କି ପଡିଯାଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ମିଗ-୨୯ ବିମାନ ଟ୍ରେନିଂ ଶେଷ କରିବା ପରେ କାଲାଇକୁଣ୍ଡା ଏୟାରବେସକୁ ଫେରୁଥିଲା । ଏହି ସମୟରେ ଅତିରିକ୍ତ ଇନ୍ଧନ ପରିବହନ ପାଇଁ ବ୍ୟବହୃତ ଭେଣ୍ଟ୍ରାଲ୍ ଡ୍ରପ୍ ଟ୍ୟାଙ୍କ ଖସିଯାଇ ଜଙ୍ଗଲରେ ପଡ଼ିଯାଇଥିଲା । ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏନେଇ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, “କାଲାଇକୁଣ୍ଡା ଏୟାରବେସକୁ ଫେରୁଥିବାବେଳେ ଅତିରିକ୍ତ ଇନ୍ଧନ ପରିବହନ ପାଇଁ ବ୍ୟବହୃତ ଭେଣ୍ଟ୍ରାଲ୍ ଡ୍ରପ୍ ଟାଙ୍କିଟି ବିମାନଠାରୁ ଅଲଗା ହୋଇଯାଇ ଏକ ଜଙ୍ଗଲରେ ପଡ଼ିଯାଇଥିଲା । ପରେ ଅଧିକାରୀଙ୍କ ଦ୍ବାରା ଅତିରିକ୍ତ ଇନ୍ଧନ ଟାଙ୍କିକୁ ଜଙ୍ଗଲରୁ ଉଦ୍ଧାର କରିବା ପରେ ଏହାକୁ କାଲାଇକୁଣ୍ଡା ଏୟାରବେସକୁ ନିଆଯାଇଥିଲା । ତେବେ ହଠାତ କିପରି ଏହା ବହିମାନରୁ ଅଲଗା ହୋଇଗଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

ଚଳିତ ବର୍ଷ ଜାନୁଆରୀ ମାସରେ ରାଜସ୍ଥାନର ଭରତପୁରରେ ବାୟୁସେନାର ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିଲା । ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଥିଲା । ସେହିପରି ଗତ ୨୦୨୦ରେ ଭାରତୀୟ ବାୟୁସେନାର ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପଞ୍ଜାବର ହୋଶିଆରପୁର ଜିଲ୍ଲା ନିକଟରେ ମିଗ୍-୨୯ ଯୁଦ୍ଧ ବିମାନ ଦୁର୍ଘଟଣା ହୋଇଥିବା ବେଳେ ପାଇଲଟ ସୁରକ୍ଷିତ ସହ ଓହ୍ଲାଇଥିବା ସୂଚନା ମିଳିଥିଲା ।