ଆଜିଠୁ ସ୍ବାଭାବିକ ଚାଲିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ବର: ଆଜିଠୁ ପୁଣି ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ସ୍ବାଭାବିକ ଚଳାଚଳ କରିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଗତ ୨୧ ତାରିଖ ଦିନ କାଳବୈଶାଖୀ ପ୍ରଭାବରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା । କାଳବୈଶାଖୀ ତାଣ୍ଡବରେ ରେଳ ଧାରଣାରେ ବିଦ୍ୟୁତ ତାର ଉପରେ ଗଛ ଡାଳ ପଡି ବିଦ୍ୟୁତ ସରବରାହ ବନ୍ଦ ହୋଇଥିଲା । ଫଳରେ ଗତକାଲି(ସୋମବାର) ଏହି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ବାତିଲ ରହିଥିଲା ।

କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି ୧୩୦ କିମି ବେଗରେ ଯାଉଥିବା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଭାବିତ ହୋଇଥିଲା । ବିଦ୍ୟୁତ ନଥିବା ଯୋଗୁଁ ଏହା ଚଳାଚଳରେ ବିଳମ୍ବ ହୋଇଥିଲା । ଏହା ସହ ପବନ ଯୋଗୁଁ ବନ୍ଦେ ଭାରତ ଟ୍ରେନର ସାମ୍ନା କାଚ ଭାଙ୍ଗି ଯାଇଥିବା ବେଳେ ଟ୍ରେନର ମୁଖ ଭାଗ ମଧ୍ୟ କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ହାୱଡା-ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ସେବା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।