ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଥିରୁବନନ୍ତପୁରମ୍ ଏଜେନ୍ସି: କେରଳରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ୍(୮୮)। ଗତ ସପ୍ତାହରେ ସେ ବିଜେପିରେ ଯୋଗ ଦେଇଥିଲେ। ଏବେ ରାଜ୍ୟବ୍ୟାପୀ ବିଜୟ ଯାତ୍ରାରେ ବାହାରିଥିବା ବିଜେପିର ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଦଳ ପକ୍ଷରୁ ଖୁବ୍ଶୀଘ୍ର ଅନ୍ୟ ପ୍ରାର୍ଥୀମାନଙ୍କ ନାମ ତାଲିକା ପ୍ରକାଶ ପାଇବ। ଏହି ପରିପ୍ରେକ୍ଷୀରେ ଶ୍ରୀଧରନ୍ ଗୁରୁବାର କହିଛନ୍ତି, ସେ କେଉଁ ନିର୍ବାଚନମଣ୍ଡଳୀରେ ଲଢ଼ିବେ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହାଁନ୍ତି। ସେ ଦୃଢ଼ତାର ସହ କହିଛନ୍ତି, ମୁଁ ଯେକୌଣସି ଆସନରେ ପ୍ରତିଦ୍ୱନ୍ଦ୍ୱିତା କଲେ ମଧ୍ୟ ମୋର ବିଜୟ ସୁନିଶ୍ଚିତ। ଆପାତତଃ ଏବେ ମୁଁ ଯେଉଁଠାରେ ରହୁଛି, ସେହି ମାଲାପୁରମ୍ର ପୋନ୍ନାନୀ ନିକଟବର୍ତ୍ତୀ ନିର୍ବାଚନମଣ୍ଡଳୀରୁ ମୁଁ ପ୍ରାର୍ଥୀ ହେବାକୁ ଚାହୁଁଛି। ଆଗାମୀ ବିଧାନସଭା ନିର୍ବାଚନରେ କେରଳରେ ବିଜେପି ନିଶ୍ଚିତ ରୂପେ କ୍ଷମତାକୁ ଆସିବ ବୋଲି ଶ୍ରୀଧରନ୍ ଦୃଢ଼ତାର ସହ କହିଛନ୍ତି।