ଖୁବଶୀଘ୍ର ରାଜ୍ୟରେ ହେବ ପୌର ନିର୍ବାଚନ: ପ୍ରତାପ ଜେନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ପୌର ସଂସ୍ଥାମାନଙ୍କରେ ପ୍ରାୟ ଅଢ଼େଇ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନିର୍ବାଚନ ହୋଇପାରିନାହିଁ। ସଂରକ୍ଷଣକୁ ନେଇ ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଏଥିରେ ବିଳମ୍ବ ହୋଇଛି। ତେବେ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ଏଣୁ ହାଇକୋର୍ଟଙ୍କ ରାୟ ଆଧାରରେ ରାଜ୍ୟରେ ପୌର ନିର୍ବାଚନ କରାଇବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟ ନଗର ଉନ୍ନ୍ୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଶ୍ରୀ ଜେନା କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କିଭଳି ସଂରକ୍ଷଣ ୫୦% ଭିତରେ ସୀମିତ ରଖାଯିବ ସେନେଇ ବ୍ୟବସ୍ଥା କରାଯାଉଛି। ଏହି ପ୍ରକ୍ରିୟା ଶେଷ ହେବାପରେ ପୌର ନିର୍ବାଚନ ଶୀଘ୍ର କରାଇବା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ। ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ ବର୍ଗଙ୍କ ପାଇଁ ପୌର ନିର୍ବାଚନରେ ୬୪ ପ୍ରତିଶତ ଆସନ ସଂରକ୍ଷିତ ରହୁଥିଲା। ତେବେ ଓଡ଼ିଶା ହାଇକୋର୍ଟ ଏହାକୁ ୫୦% ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମ୍କୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖି ଏନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱର ପରିସମାପ୍ତି କରିଛନ୍ତି। ଏଣୁ ଏବେ ପୌର ଆଇନକୁ ସଂଶୋଧନ କରି ପ୍ରଥମେ ରାଜ୍ୟ ବିଧାନସଭାରେ ପାରିତ କରାଇବାକୁ ପଡ଼ିବ। ପରେ ବିଭିନ୍ନ ଓା୍ୱର୍ଡର ସୀମା ପୁନଃନିର୍ଦ୍ଧାରଣ କରି ସରକାର ରିପୋର୍ଟ ପ୍ରଦାନ କଲେ ଭୋଟର ତାଲିକା ପ୍ରସ୍ତୁତ କରି ଭୋଟ୍ ଅନୁଷ୍ଠିତ କରାଇବେ ନିର୍ବାଚନ କମିଶନ।