କନିଷ୍ଠ ବାଳକ ଏସିଆ କପ୍‌ ଟାଇଟଲ: ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ୍‌

ନୂଆଦିଲ୍ଲୀ: ବିଜୟରୁ ଅଭିଯାନ ଆରମ୍ଭ ବିଜୟରେ ଶେଷ । ଭାରତ ହାତେଇଲା ଚତୁର୍ଥ ଏସିଆ କପ ଟାଇଟଲ । ଓମାନରେ ଚାଲିଥିବା ବାଳକ ଜୁନିଅର ହକି ଏସିଆ କପରେ ଭାରତର ଚମ୍ପିଆନ ହୋଇଛି । ଫାଇନାଲ ମୁକାବିଲାରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଚତୁର୍ଥ ଜୁନିଅର ହକି ଏସିଆ କପ ହାତେଇଛି ଭାରତୀୟ ଦଳ । ଭାରତ ଚତୁର୍ଥ ଥର ପାଇଁ ଏସିଆ କପ ଚମ୍ପିଆନ ହୋଇଛି । ଏହା ପୂର୍ବରୁ ୨୦୦୪, ୨୦୦୮ ଏବଂ ୨୦୧୫ରେ ଟ୍ରଫି ହାତେଇଥିଲା ଟିମ ଇଣ୍ଡିଆ । ଦୁଇଥର (୧୯୬୬-୨୦୦୦) ରନର୍ସଅପ ହୋଇଛି । ଅଧିନାୟକ ଉତ୍ତମ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପାକିସ୍ତାନ ବିପକ୍ଷ ଫାଇନାଲ ଫାଇଟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଭାରତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ରେ ଆଗୁଆ ଥିଲା । ଭାରତ ପକ୍ଷରୁ ୧୩ତମ ମିନିଟରେ ଅଙ୍ଗଦ ବୀର ସିଂହ ପ୍ରଥମ ଓ ୨୦ତମ ମିନିଟରେ ଅରାଜିତ ସିଂହ ଗୋଲ ସ୍କୋର କରିଥିଲେ । ତୃତୀୟ କ୍ବାର୍ଟରରେ କସରତ କରି ପାକିସ୍ତାନ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା । ଚତୁର୍ଥ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା ଫଳରେ ଭାରତ ମ୍ୟାଚକୁ ୨-୧ରେ ଜିତି ନେଇ ଚମ୍ପିଆନ ହୋଇଥିଲା ।