ଚିନ୍ତା ବଢାଇଛି ନିଶାଦ୍ରବ୍ୟ କାରବାର, ଜିଲ୍ଲା ଭିତ୍ତିକ ଆକ୍ସନ ପ୍ଲାନ ପ୍ରସ୍ତୁତି ଉପରେ ଗୁରୁତ୍ବ

ଭୁବନେଶ୍ବର: ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣ ରୋକାଯିବା ସଂପର୍କରେ ଗତକାଲି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ।

ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଛି । ଏହିଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସଂପର୍କିତ ରହିଛି ଜାତୀୟ ଆଇନ । ଏହି ଆଇନକୁ କଡାକଡି ଅନୁପାଳନ ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ବେଆଇନ ନିଶା ଦ୍ରବ୍ୟ କାରବାର ଓ ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ନାର୍କୋଟିକ୍ସ ବ୍ୟୁରୋର ଉପ ମହାନିର୍ଦ୍ଦେଶିକା ବିଭିନ୍ନ ରାଜ୍ୟରେ ନିଶା ଦ୍ରବ୍ୟ କାରବାରର ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ‘ଜୀବନକୁ ହଁ ଓ ନିଶାକୁ ନାଁ’ ଏବଂ ‘ନିଶା ମୁକ୍ତ ଭାରତ’ର ସେ ଆହ୍ବାନ ଦେଇଛନ୍ତି । ଓଡ଼ିଶା ଦାୟିତ୍ବରେ ଥିବା ରାଜ୍ୟ ସ୍ବତନ୍ତ୍ର ଟାକ୍ସଫୋର୍ସ ଅଧିକାରୀ ଜୟନାରାୟଣ ପଙ୍କଜ ଓଡ଼ିଶାରେ ନିଶାଦ୍ରବ୍ୟ କାରବାର ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ରାଜ୍ୟରେ ୧୦ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ କରାଯାଉଥିଲା । ସେଥିରୁ ଅଧିକାଂଶ ପାହାଡିଆ, ଜଙ୍ଗଲପୂର୍ଣ୍ଣ ଓ ନକ୍ସଲ ପ୍ରଭାବିତ ଅଞ୍ଚଳ । ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଞ୍ଚଳ କମୁଥିବାରୁ ଅଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରାଉନସୁଗାର ପଶ୍ଚିମ ବଙ୍ଗରୁ କୋଲକତା ଓ ବାଲେଶ୍ବର ଦେଇ ଉପକୂଳ ଜିଲ୍ଲାକୁ ଆସିଥାଏ । ନିଶାଯୁକ୍ତ କଫ ସିରପ ଛତିଶଗଡ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଆଦି ଜିଲ୍ଲାକୁ ଆସିଥାଏ । ବେଆଇନ ଗଞ୍ଜେଇ ଓ ଅଫିମ ଚାଷ ପାଇଁ ପ୍ରତି ବର୍ଷ ଚା​ଷ‌ ସମୟରେ ବିଭିନ୍ନ ସଂସ୍ଥା ସାହାଯ୍ୟରେ ଅନୁସନ୍ଧାନ କରାଯାଇ ସେସବୁକୁ ନଷ୍ଟ କରାଯାଉଛି । ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ରାଜ୍ୟରେ ୨୦୧୮-୧୯ ମସିହାରେ ୧୧,୬୨୭ ଏକର ଗଂଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୨୦୨୨-୨୩ ରେ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।