ହାତୀ ହତ୍ୟା ଘଟଣାରେ ରାହୁଲଙ୍କ ଉପରେ ବର୍ଷିଲେ ମେନକା

ନୂଆଦିଲ୍ଲୀ : କେରଳରେ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ଦେଶକୁ ମର୍ମାହତ କରିଛି। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ସାଂସଦ ତଥା ପଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ମେନକା ଗାନ୍ଧୀ। ସେ ସ୍ଥାନୀୟ ଜଙ୍ଗଲ ସଚିବଙ୍କୁ ହଟାଇବା ଏବଂ ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସିଧାସଳଖ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାହୁଲ ଉକ୍ତ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବାରୁ ସେ କାହିଁକି ଗର୍ଭବତୀ ହାତୀର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ମେନକା କହିଛନ୍ତି, ଏଭଳି ଜଘନ୍ୟ ଘଟଣା ଘଟିବା ପରେ ଜଙ୍ଗଲ ସଚିବଙ୍କୁ ବହିଷ୍କୃତ କରିଦେବା ଉଚିତ୍। ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରୀ ନିଜ ତରଫରୁ ଇସ୍ତଫା ଦେବା ଉଚିତ୍। ମେନକା ପୁଣି କହିଛନ୍ତି, ଘଟଣାଟି ମାଲ୍ଲାପୁରମ୍ ଜିଲ୍ଲାରେ ଘଟିଛି, ଯାହା ରାହୁଲ ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ। ରାହୁଲ ନିଜ ପାଇଁ ଏହି ଅଞ୍ଚଳଟିକୁ ବାଛିଛନ୍ତି। ଏଣୁ କେବଳ ଭାଷଣ ଦେଇ ସାରା ଦେଶର ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ନିଜ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ କରିବା ଉଚିତ୍।