ସର୍ପାଘାତରେ ଶିଶୁ ପୁତ୍ର ମୃତ

ଦେବଗଡ଼, ଏନ୍ଏନ୍ଏସ୍ : ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ସର୍ପାଘାତରେ ଜଣେ ୪ବର୍ଷୀୟ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ତାରଙ୍ଗ ଗ୍ରାମର ଟୁନା ସ୍ୱାଇଁଙ୍କ ୪ବର୍ଷୀୟ ଶିଶୁ ପୁତ୍ର ହେମନ୍ତ ଗୁରୁବାର ସନ୍ଧ୍ୟା ସମୟରେ ଘର ବାହାରେ ପିଲାଙ୍କ ସହ ଖେଳୁଥିଲେ । ତେବେ ପାଖରେ ଥିବା ଏକ ପୁଲକ୍ଷ କାଠ ଗଣ୍ଡିରେ ହେମନ୍ତ ହାତ ପୁରେଇବାରୁ ସେଥିରେ ପୂର୍ବରୁ ରହିଥିବା କୌଣସି ବିଷାକ୍ତ ଜୀବ ହେମନ୍ତ ଙ୍କ ହାତରେ କାମୁଡି ଦେଇଥିଲା । ଏକଥା ଶିଶୁ ପୁତ୍ର ନିଜ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଦେଶୀ ଚିକିତ୍ସା ସହ ଫୁଙ୍କା ଝଡା କରାଇ ଥିଲେ। ମାତ୍ର ଶିଶୁଟି ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ସେହିପରି ଡାକ୍ତରଖାନା କର୍ତ୍ତୃପକ୍ଷ ଦେବଗଡ଼ ଥାନା ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ମୃତ ଦେହ ଜବତ କରିଥିଲା । ଆଜି ଶିଶୁର ମୃତ ଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି । ତେବେ ମୃତ ଶିଶୁ ପରିବାର ର କାନ୍ଦ ବୋବାଳିରେ ସାରା ଡାକ୍ତରଖାନା ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।