ମୁକ୍ତିଲାଭ କଲା ‘ବିଜୟିନୀ-ବିଜୟୀ ଭବଃ’ ପ୍ରିମିୟର

କଟକ,ଏନ୍ଏନ୍ଏସ୍: ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର “ବିଜୟିନୀ- ବିଜୟୀ ଭବଃ” ଆଜି କଟକ ବୃନ୍ଦାବନ ହଲରେ ମୁକ୍ତିଲାଭ କରିଛି। ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତୀକରଣର କଥାବସ୍ତୁକୁ ନେଇ ଆଧାରିତ। ବିଜୟ କାଣ୍ଡୋଇ ଓ ସଙ୍ଗୀତା କାଣ୍ଡୋଇ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ମୁଖ୍ୟ ଭୂମିକାରେ ନିଜେ ବର୍ଷା ପ୍ରିୟଦର୍ଶିନୀ ଅଛନ୍ତି।

ଏକ ଛୋଟ ସହରର ଝିଅ ବିଜୟିନୀ, ଯିଏ ଲୋକଙ୍କ ସେବା କରିବାର ଅଭିଳାଷକୁ ପୂରଣ କରିବାକୁ ଯାଇ କିପରି ବିଭିନ୍ନ ପ୍ରକାର ବାଧା ବିଘ୍ନର ସାମ୍ନା କରୁଛି ତାର କାହାଣୀ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଏଥିରେ ବର୍ଷା ପ୍ରିୟଦର୍ଶିନୀ ବିଜୟିନୀ ଭୂମିକାରେ ଅଭିନୟ କରିଥିବା ବେଳେ ବିକ୍ରମ ମହାନ୍ତି, ଦେବାଶିଷ ପାତ୍ର, ପ୍ରଜ୍ଞା, ଶଙ୍କର, ପପି ସନ୍ତୁକା, ତୃପ୍ତି ସିହ୍ନା, ସରୋଜ ଦାସ, ଧୀର ମଲିକ, ଶ୍ରୀରାମ, ଶୋଭା, ମାମା ଓ ପୁଷ୍ପା ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

ବର୍ଷା ପ୍ରିୟଦର୍ଶିନୀ ଏହି ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସହ ଏହି ପ୍ରୋଜେକ୍ଟରେ କ୍ରିଏଟିଭ୍ ହେଡ୍ ଅଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଚଳଚ୍ଚିତ୍ରର ସମସ୍ତ ସଙ୍ଗୀତକୁ ଅତି ସୁନ୍ଦର ସ୍ୱରରେ ସଜେଇଛନ୍ତି। ଭଗତ ସିଂ ସିନେମାଟୋଗ୍ରାଫିରେ ଥିବାବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି। ଆସନ୍ତାକାଲି ଏହି ଚଳଚ୍ଚିତ୍ର ଭୁବନେଶ୍ୱରର ସ୍ୱାତୀ ସିନେ ହଲରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।