୪୩୪ ଦିନ ଗୃହବନ୍ଦୀ ରହିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସାମିଲ ହେବେ ମେହବୁବା

ଶ୍ରୀନଗର,ଏନ୍ଏନ୍ଏସ୍: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ଆୟୋଜନ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବଦଳୀୟ ବୈଠକରେ ଯୋଗଦେବେ। ଜମ୍ମୁ କଶ୍ମୀରରୁ ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ଓ ଦୀର୍ଘ ୪୩୪ ଦିନ ଯାଏଁ ଗୃହ ବନ୍ଦୀ ଭାବେ ରହିବା ପରେ ମେହବୁବା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବାସରେ ହେବାକୁ ଥିବା ବୈଠକରେ ଯୋଗଦେଉଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଜୁନ ୨୦ରେ ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ମେହବୁବା ମୁଫତି ନିଜର ପଦ ଛାଡ଼ି ଦେଇଥିଲେ। ୨ ବର୍ଷ ୭୭ ଦିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଭିନ୍ନ ବୟାନ ଦେଇଥିଲେ।

ତେବେ ଏହି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉପରାଜ୍ୟପାଳ ମନୋଜ ସ୍ନିହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ସଚିବ ଅଜୟ ଭଲ୍ଲା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଉପସ୍ଥିତ ରହିବେ। ସେହିପରି ଜମ୍ମୁ କଶ୍ମୀରରୁ ମୁଫତିଙ୍କ ବ୍ୟତୀତ ଫାରୁଖ ଅବଦୁଲ୍ଲା, ଗୁଲାମ ନବୀ ଆଜାଦ, ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା, ନିର୍ମଳ ସିଂହ ଓ ରବୀନ୍ଦ୍ର ରାଇନାଙ୍କ ସମେତ ମୋଟ ୧୪ ଜଣ ନେତା ଉପସ୍ଥିତ ରହିବେ।