ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ:ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପ୍ୟାରେଡରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଷ୍ଟାଡିୟମ ପରିବର୍ତ୍ତେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ପାଳିତ ହେବ । କୌଣସି ସ୍ଥାନରେ ଗହଳି ନ କରି ନିଜ ନିଜ ଘରେ ସ୍ୱାଧୀନତା ଦିବସ ପାଳିବାକୁ ଶ୍ରୀ ମିଶ୍ର ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ, ବକୃତା ଓ ସଙ୍ଗୀତ ପ୍ରତିଯୋଗିତା କରାଯିବ । ରାମଧୁନ ଓ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫା ଆଦି କାର୍ଯ୍ୟକ୍ରମଗୁଡ଼ିକ ବିଭିନ୍ନ ବିଭାଗ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ପିଏ ଆଇଟିଡିଏ ଅଭିମନ୍ୟୁ ମାଝୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଓ ଡିଇଓ ପ୍ରଦୀପ କୁମାର ନାଗଙ୍କ ସମେତ ବୁଦ୍ଧିଜୀବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।