ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କୁ ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି। ଏଥି ନିମନ୍ତେ ସିଆରପିଏଫ କ୍ୟାମ୍ପ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆର୍ତବନ୍ଧୁ ନାୟକ ଯୋଗ ଦେଇଥିଲେ। ସିଆରପିଏଫ ତରଫରୁ ସେକେଣ୍ଡେ ଇନ କମାଣ୍ଡେଣ୍ଟ ମିତୁ ରୟ, ସହକାରୀ କମାଣ୍ଡେଣ୍ଟ ଉପସ୍ଥିତ ଥିଲେ।
ଏଥିସହିତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଯବାନମାନେ ହେଉଛନ୍ତି ଦେଶର ମେରୁଦଣ୍ଡ, ଯଦି ଦେଶର ଯବାନମାନେ ସୁସ୍ଥ ଅଛନ୍ତି ତାହା ଦେଶ ସୁରକ୍ଷିତ ଅଛି ବୋଲି କହିଛନ୍ତି। ତେଣୁ ଯବାନଙ୍କୁ ସଦାବେଳେ ଫିଟ ରହିବା ଆବଶ୍ୟକ। ଏଥିସହ ଦେଶ ଯେଉଁ କରୋନା ମହାମାରୀ କବଳରେ ଛନ୍ଦି ହୋଇଛି ଆମେ ସମସ୍ତେ ଏକତ୍ରିତ ହୋଇ ଲଢିବା ଏବଂ ଏହାକୁ ନାଶ କରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀନାୟକ ଏହି ଔଷଧୀୟ ମଶାରୀ ଏହି ସମୟରେ ଯବାନ ମାନଙ୍କ ସୁରକ୍ଷା କବଚ ସାଜିବ ବୋଲି କହିଛନ୍ତି। ଏହି ଅବସରରେ ପ୍ରାୟ ୧୫୦୦ ଔଷଧୀୟ ମଶାରୀ ଯବାନଙ୍କୁ ବଣ୍ଟନ କରାଯାଇଛି।