ମହାରାଷ୍ଟ୍ରରେ ଲକଡାଉନ ଜୁନ୍ ୩୦କୁ ବୃଦ୍ଧି, ଅଡ-ଇଭିନରେ ଖୋଲିବ ଦୋକାନ

ମୁମ୍ବାଇ,ଏନ୍ଏନ୍ଏସ୍: ମହାରାଷ୍ଟ୍ରରେ କରୋନା ସ୍ଥିତି ଅନିୟନ୍ତ୍ରୀତ ଥିବାରୁ ଲକଡାଉନ ଅବଧିକୁ ଜୁନା ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜୁନ୍ ୩୦କୁ ବୃଦ୍ଧି କରାଯାଇଛି। ତେବେ ଏହି ଲକଡାଉନ ନିୟମ ୩ଟି ପର୍ଯ୍ୟାୟରେ ଲାଗୁ କରାଯିବା ସହ କ’ଣ ଖୋଲା ହେବ ଓ କିପରି ହେବ ସେ ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଲକଡାଉନକୁ ‘ମିଶନ ବିଗିନ୍ ଏଗେନ’ ବୋଲି କୁହାଯାଇଛି। ଏହାର ପ୍ରଥମ ପର୍ଯ୍ୟାୟ ଜୁନ୍ ୩, ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୫ ଓ ତୃତୀୟ ପର୍ଯ୍ୟାୟ ଜୁନ୍ ୮ରେ ହେବ। ସେହିପରି କଣ୍ଟେନମେଣ୍ଟ ଜୋନ୍ ଗୁଡ଼ିକ ସମ୍ପୂର୍ଣ୍ଣ ଲକଡାଉନ ରହିବ ଓ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏଥିସହ ଉକ୍ତ ଜୋନରେ କେହି ଅତ୍ୟାବଶ୍ୟକ ନଥିଲେ ପଦାକୁ ବାହାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟ ଜୁନ୍ ୩ରୁ ଆରମ୍ଭ ହେଉଥିବା ବେଳେ ଏଥିରେ ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଜରୁରୀ ଥିଲେ ପଦାକୁ ଆସିବାକୁ ଅନୁମତି ଦିଆଯାଇଛି। ଏଥିସହ ଖୋଲା ଯାଗାରେ ତଥା ରୋଡରେ ଲୋକମାନେ ସାମାଜିକ ଦୂରତ୍ୱ ସହ ସାଇକେଲିଂ ଓ ଜଗିଂ କରିବାକୁ ଅନୁମତି ମିଳିଛି। ସେହିପରି ଭିଡ ଯାଗାରୁ ଲୋକମାନେ ଦୂରେଇ ରହିବେ, ଦୂରସ୍ଥାନକୁ ଯାତ୍ରା କରିପାରିବେ ନାହିଁ। ପ୍ଲମ୍ବର, ଇଲେକ୍ଟ୍ରିସିଆନ, ପେଷ୍ଟ କଣ୍ଟ୍ରୋଲର ମାନେ ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜ ହୋଇ କାମ କରିପାରିବେ। ସେହିପରି ଗ୍ୟାରେଜ ଖୋଲିବ। ସରକାରୀ କାର୍ଯ୍ୟଳୟରେ ୧୫ ପ୍ରତିଶତ ଓ ୧୫ ଜଣ କର୍ମଚାରୀ ଯେଉଁଟା କମ୍ ଲୋକେ କାମକୁ ଆସିବେ। ତେବେ ଏଥିରୁ ଜରୁରୀ ସରକାରୀ ସଂସ୍ଥା, ସ୍ୱାସ୍ଥ ଓ ହସ୍ପିଟାଲ କର୍ମଚାରୀ, ଟ୍ରେଜେରି, ପୁଲିସ, ମୁନିସିପାଲଟି ଓ ଖାଦ୍ୟ ଯୋଗାଣ ବିଭାଗକୁ ବାଦ ଦିଆଯାଇଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୫ରେ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ମାର୍କେଟଗୁଡ଼ିକ ଅଡ-ଇଭିନ ଫର୍ମୁଲାରେ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତା ସହ ଦୋକାନୀମାନେ ସାମଗ୍ରୀ ବିକିବେ। ତେବେ ଏଥିରୁ ମଲ୍, ମାର୍କେଟ କମ୍ପଲେକ୍ସକୁ ବାଦ ଦିଆଯାଇଛି। ତେବେ ଏହା ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ। ସେହିପରି ଟ୍ୟାକ୍ସି ତଥା କ୍ୟାବରେ ଜଣେ ଡ୍ରାଇଭର ସହ ୨ ଜଣ ପ୍ୟାସେଞ୍ଜର, ଅଟୋରେ ୨ ଜଣ ଓ ବାଇକରେ ଜଣଙ୍କୁ ଯିବା ପାଇଁ ଅନୁମତି ମିଳିଛି।

ସେହିପରି ତୃତୀୟ ପର୍ଯ୍ୟାୟ ଜୁନ୍ ୮ରେ ଆରମ୍ଭ ହେବାକୁ ଥିବା ବେଳେ ବେସରକାରୀ ଅଫିସ୍ ମାନଙ୍କରେ ୧୦ ପ୍ରତିଶତ କର୍ମାଚାରୀ ଆସିବେ କିମ୍ବା ଘରେ ରହି କାମ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହିତ ସ୍କୁଲ, କଲେଜ, ଏଜୁକେସନାଲ ଇନଷ୍ଟିଚୁସନକୁ ଅନୁମତି ନାହିଁ। ଆର୍ନ୍ତଜାତୀୟ ବିମାନ ସେବା ବନ୍ଦ ରହିବ। ମେଟ୍ରୋ, ଯାତ୍ରୀବାହି ଟ୍ରେନ, ସିନେମା ହଲ, ଜିମ୍, ସୁଇମିଂ ପୁଲ, ପାର୍କ, ଥିଏଟର, ବାର୍, ଅଡିଟୋରିଅମ୍, ସେମିନାର ହଲ, ମନ୍ଦିର, ସେଲୁନ, ବ୍ୟୁଟିପାର୍ଲର, ହୋଟେଲ, ରେଷ୍ଟୁରାଁ ସମ୍ପୂର୍ଣ୍ଣ ବନ୍ଦ ରହିବ।