୧୫ ଦଫା ଦାବି ନେଇ ବିକ୍ଷୋଭ କଲେ ଏମସିଏଲ ବିସ୍ଥାପିତ

ଝାରସୁଗୁଡା,ଏନ୍ଏନ୍ଏସ୍ : ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମିତିର ଆହ୍ୱାନ କ୍ରମେ ଏମସିଏଲ ଦ୍ୱାରା ବିସ୍ଥାପିତ ତଥା ପ୍ରଭାବିତ ହୋଇଥିବା ଝାରସୁଗୁଡା ଜିଲ୍ଲାବାସୀ ଶୁକ୍ରବାର ୧୫ ଦଫା ଦାବିରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ଏମସିଏଲ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଏହି ୧୫ ଦଫା ଦାବିକୁ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର କୋଇଲା ମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ, ବରଗଡ ସାଂସଦ, ବ୍ରଜରାଜନଗର ବିଧାୟକ, ଏମସିଏଲ ସିଏମଡି, ଲଖନପୁର ଖଣି କ୍ଷେତ୍ରର ଜିଏମଙ୍କୁ ପ୍ରଦାନ କରିଛନ୍ତି।

ଆନ୍ଦୋଳନକାରୀମାନେ କହିଛନ୍ତି ଏମସିଏଲ ଜମି ଅଧିଗ୍ରହଣ କଲାପରେ ଲୋକଙ୍କୁ ଥଇଥାନ ଓ ନିଯୁକ୍ତି ଦେବାରେ ଅବହେଳା କରୁଛି। ତେଣୁ ପ୍ରଭାବିତ ଲୋକଙ୍କୁ ପ୍ରଥମେ ନିଯୁକ୍ତି ଓ ଥଇଥାନ କରାଗଲା ପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ। ଏହାସହ ଏମସିଏଲ ପ୍ରଭାବିତ ତଥା ବିସ୍ଥାପିତ ଲୋକଙ୍କୁ କ୍ଷତିପୁରଣ ପ୍ରଦାନ, ସମସ୍ତ ଶୁକବାସୀ ପ୍ରଜାମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଲାଗୁ କରାଯିବା, ଜିଲ୍ଲା ଖଣିଜ ପାଣ୍ଠିର ଅଧିକତମ ଅର୍ଥ ରଶି ଖଣି ପରଭାବିତ ଅଂଚଳର ଉନ୍ନତି ପାଇଁ ବିନିଯୋଗ, ଆରପିଡିଏସି ବୈଠକର ସମସ୍ତ ନିଷ୍ପତିକୁ ତୃଣମୁଳ ସ୍ତରରେ ଲାଗୁ କରାଯିବା ସହ ସାମାୟିକ ଭାବରେ ବୈଠକ ଅନୁଷ୍ଠିତ କରିବା, ଲଖନପୁର ଅଂଚଳରେ ଏମସିଏଲ ଦ୍ୱାରା ସୁପର ସ୍ପେଶାଲିଷ୍ଟ ଚିକ୍ତତ୍ସାଳୟର ନିର୍ମାଣ, ବିସ୍ଥାପିତଙ୍କୁ ଥଇଥାନ କରିବା ଅଂଚଳରେ ରାସ୍ତାଘାଟ, ବିଦ୍ୟାଳୟ, ମନ୍ଦିର , ପୋଖରୀ ଆଦି ନିର୍ମାଣ, ଏନଏଚ-୪୯ରେ ଝାରସୁଗୁଡାରୁ କନକତୋରା ପର୍ଯ୍ୟନ୍ତ କୋଲ କୋରିଡୋର ନିର୍ମାଣ,୧୮ ବର୍ଷରୁ ଉର୍ଦ୍ଧ ଯୁବକ/ଯୁବତୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ ପ୍ରଦାନ ଆଦି ଦାବି କରିଛନ୍ତି ବିସ୍ଥାପିତ ଲୋକେ।

ଏହାସହ ସେମାନେ ଦର୍ଲିପାଲି ଗ୍ରାମରେ ଆରମ୍ଭ ହୋଇଥିବା ଖଣି ସମ୍ପ୍ରସାରଣକୁ ବିରୋଧ ଓ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଥଇଥାନ ନକରାଇ କୋଇଲା ଉତୋଳନ ପାଇଁ ଗ୍ରାମ ନିକଟରେ ବ୍ଲାଷ୍ଟିଙ୍ଗ କରାଯାଉଛି। ଏହାର କୁ ପ୍ରଭାବ ଗ୍ରାମବାସୀଙ୍କ ଉପେର ପଡୁଛି। ତେଣୁ ପ୍ରଥମେ ଏହାକୁ ବନ୍ଦ କରି ଥଇଥାନ ଓ ନିଯୁକ୍ତି ଦେଲା ପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ। ସେହିପରି କୁଡାଲୋଇ, ରାମଡେରା, ବାଗମାର ଟିଙ୍ଗିସମାଲ ପରି ସମସ୍ତ ଏମସିଏଲ ପ୍ରଭାବିତ ଲୋକଙ୍କ ସମସ୍ୟା ଦୁରିକରଣ ପରେ ଜମି ଅଧିଗ୍ରହଣ ଓ କୋଇଲା ଖନନ କରାଯଉ ବୋଲି ପ୍ରଭାବିତ ଲୋକେ ଦାବି କରିଛନ୍ତି। ସେମାନଙ୍କ ଦାବି ପତ୍ରକୁ ଉପଜିଲ୍ଲାପାଳ ଶିବ ଟପ୍ପୋ ଗ୍ରହଣ କରି ଶୀଘ୍ର ରାଜ୍ୟ ସରକାର , କେନ୍ଦ୍ର କୋଇଲା ମନ୍ତ୍ରୀ ଓ ଏମସିଏଲ କର୍ତୁପକ୍ଷ ଓ ଜିଲ୍ଲପାଳଙ୍କୁ ପ୍ରଦାନ କରି ବିସ୍ଥାପିତ ତଥା ପ୍ରଭାବିତଙ୍କ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।