ବଟି ଆଦାୟକାରୀ ୩ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୩ ବଟି ଆଦାୟକାରୀକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତମାନେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କତାପାଲ୍ଲୀ ଗ୍ରାମର ଆନନ୍ଦ ପାଙ୍ଗି ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ସେ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଛନ୍ତି ବୋଲି ତାଙ୍କୁ ଏହି ଆଦାୟକାରୀ ମାନେ ୧ ଲକ୍ଷ ୧୦ ହଜାର ଟଙ୍କା ଜୋର ଜବରଦସ୍ତି ଦେବା ପାଇଁ ବାଧ୍ୟ କରିଥିଲେ। ଆନନ୍ଦ ପାଙ୍ଗି ତାଙ୍କୁ ଡିସେମ୍ବର ୮ ତାରିଖରେ ୧୦ ହଜାର ଟଙ୍କା ବାଧ୍ୟ ହୋଇ ଦେଇଥିଲେ ଏବଂ ବାକି ୧ ଲକ୍ଷ ଟଙ୍କା ଡିସେମ୍ବର ୨୫ ତାରିଖରେ ଦେବେ ବୋଲି କହିଥିଲେ। ଏହାପରେ ସେହି ଅଭିଯୁକ୍ତମାନେ ୨୫ ତାରିଖରେ ଟଙ୍କା ମାଗିବାକୁ ଯାଇଥିଲେ କିନ୍ତୁ ଗ୍ରାମବାସୀ ଏକତ୍ରିତ ହୋଇ ସେମାନଙ୍କୁ କେଉଁ ବିଭାଗରୁ ଆସିଛ ବୋଲି ପଚରାଉଚରା କରିବାରୁ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସେମାନେ ଏକ ବୋଲେରୋ ଯୋଗେ ସେହି ଗ୍ରାମକୁ ଯାଇଥିଲେ। ଗ୍ରାମବାସୀ ସେମାନଙ୍କ ଗାଡି ନମ୍ବରକୁ ନୋଟ କରି ପୋଲିସ ଥାନାରେ ଏତଲା ଦେଇଥିଲେ। ପରେ ଓରକେଲ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ସୂଚନା ଅନୁଯାୟୀ, ସେମାନେ ନିଜକୁ ପୋଲିସ କହି ଏଭଳି ବଟି ଆଦାୟ କରୁଥିବା ଜଣାପଡିଛି। ଏହି ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗ୍ରାମର ସୁଜନ ମଜୁମଦାର, ମାରିବେଡା ଗ୍ରାମର ଜଗନ୍ନାଥ ମଣ୍ଡଳ ଓ ଅନ୍ୟଜଣେ ଏମ.ଭି-୨୩ ଗ୍ରାମର ବିଦୁ ସାହା ଯେ କି ମାଲକାନଗିରି ଥାନାରେ ହୋମଗାର୍ଡ ଭାବେ କାର୍ୟ୍ୟରତ ଥିଲେ। ସେମାନଙ୍କୁ ନାମରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି।