ଏମସିଏଲ ଅଧିକାରୀଙ୍କ ବ୍ୟକ୍ତିଗତ କାମରେ ଆମ୍ବୁଲାନ୍ସ ବ୍ୟବହାର ଭିଡିଓ ଭାଇରାଲ

ଝାରସୁଗୁଡା,ଏନ୍ଏନ୍ଏସ୍: ଅତି ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସର ବ୍ୟବହାର କରାଯାଉଥିବା ବେଳେ ଉଚିତ ସମୟରେ ରୋଗୀଙ୍କର ପାଖରେ ଆମ୍ବୁଲାନ୍ସ ନ ପହଞ୍ଚି ପାରିବା ଆଜିକାଲିର ସାଧାରଣ ଘଟଣା ହୋଇଗଲାଣି। ତେବେ ଆମ୍ବୁଲାନ୍ସକୁ ନିଜର ବ୍ୟକ୍ତିଗତ କାମ ପାଇଁ ବ୍ୟବହାର କରି କୋଇଲା ଖଣିର ଡେପୁଟି ମ୍ୟାନେଜର ରବି ରଞ୍ଜନ କୁମାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଗୋଟିଏ ଆମ୍ବୁଲାନ୍ସ ଗାଡିକୁ ନିଜର ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିବା ଭିଡିଓ ଭାଇରଲ ହୋଇ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି।

ବ୍ରଜରାଜନଗର ରେଲୱେ ଷ୍ଟେସନକୁ କୌଣସି କାମ ପାଇଁ ସେ ଆମ୍ବୁଲାନ୍ସ ଗାଡିରେ ବସିଯାଇଥିବା ଭାଇରାଲ ଭିଡିଓ ଟି ଦର୍ଶାଉଛି। ଏହି ବିଷୟରେ ସ୍ଥାନୀୟ କିଛି ଲୋକଙ୍କୁ ପଚାରିବାରୁ ଟ୍ରେନ ଯାତ୍ରା ସମୟରେ ତାଙ୍କର ଦେହ ଅସୁସ୍ଥ ହୋଇଥିବାରୁ ସେ ଆମ୍ବୁଲାନ୍ସ କୁ ଡାକିଥିଲେ ବୋଲି କହିଛନ୍ତି। ହେଲେ ଭିଡିଓରେ ରବି ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଛନ୍ତି। ଏହାସହ ଆମ୍ବୁଲାନ୍ସଟି ଆଟେଣ୍ଡାଣ୍ଟ୍ ବିହୀନ ଥିବାବେଳେ ସାଇରନ ଓ ଲାଇଟ ବ୍ୟବହାର ନ କରି ଧିରେଧିରେ ଯାଇଥିବାରୁ କିଛି ଲୋକ ଏହାକୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆମ୍ବୁଲାନ୍ସ ପ୍ରେମ ଆକ୍ଷା ଦେଉଛନ୍ତି।

ତେବେ ମ୍ୟାନେଜରଙ୍କର ଆମ୍ବୁଲାନ୍ସ ପ୍ରୀତି ହଉ ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମାଖିଆଲି ନୀତି, ସାଧାରଣରେ ଏବେ ଆମ୍ବୁଲାନ୍ସ ବ୍ୟକ୍ତିଗତ ଭାବରେ ବ୍ୟବହାର କରିବା ଘଟଣା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ ଯେ, କିଛିମାସ ପୂର୍ବରୁ ଲଖନପୁର ଖଣି କ୍ଷେତ୍ରର କିଛି କର୍ମଚାରୀ ଏକ ଆମ୍ବୁଲାନ୍ସରେ ଡ୍ୟୁଟିରୁ ଘରକୁ ଫେରୁଥିବା ଭିଡିଓ ଭାଇରାଲ ହୋଇଥିଲା।