ଧାନ ଖଳା ନିଆଁରେ ପଡ଼ି ୩ଶିଶୁ ମୃତ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜମରା ଗ୍ରାମର ୩ ଜଣ ଶିଶୁ ଆଜି ଧାନ ଖଳା ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି। ସେମାନେ ହେଲେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡେଜୀ ଦିଶାରୀ ଓ ଅନ୍ୟଜଣେ ରଚନା ରାଉତ।

ସେମାନଙ୍କ ଦେହର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିବା ବେଳେ ସେମାନଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାତିରେ ଧାନ ଖଳାରେ ଶୋଇଥିବା ବେଳେ ସମ୍ପୃକ୍ତ ଖଳା ମାଲିକ ନିଆଁ ଲଗାଇ ଶୋଇଥିଲା। ଏହି ନିଆଁ ସକାଳେ ମଧ୍ୟ ଥିଲା। ଏହି ସମୟରେ ଖଳାରେ କେହିନଥିବା ବେଳେ ଆଜି ମଧ୍ୟାହ୍ନ୍ନରେ ୩ ଶିଶୁ ଖେଳିବାକୁ ଆସି ନିଆଁ ଉପରେ ପାଳ ପକାଇ ନିଆଁ ଜାଳି ଖେଳୁଥିଲେ। ଏହି ସମୟରେ ନିଆଁ ହୁତୁ ହୁତୁ ହୋଇ ଜଳିବାସହ ଏହି ନିଆଁରେ ୩ଜଣ ଶିଶୁ ଜଳିଯାଇଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇଛି। ଭବାନୀପାଟଣାରେ ମଧ୍ୟ ସେଭଳି ବ୍ୟବସ୍ଥା ନଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।