ଶ୍ରମ ଆଇନ ପରିବର୍ତ୍ତନ ବିରୁଦ୍ଧରେ ସିଆଟିୟୁର ଦାବିପତ୍ର

ନୟାଗଡ଼, ଏନ୍ଏନ୍ଏସ୍ : ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମ ଆଇନର ପରିବର୍ତ୍ତନ କରି ଆଠ ଘଣ୍ଟା ବଦଳରେ ବାର ଘଣ୍ଟା କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ କାଳରେ ଅଘୋଷିତ ଆପାତ କାଳୀନ ପରିସ୍ଥିତିରେ ଶ୍ରମିକ ଶ୍ରେଣୀ ପଛରେ ସାହାର୍ଯ୍ୟ କର୍ତ୍ତା ଭାବେ ଛିଡ଼ା ହେବା ପରିବର୍ତ୍ତେ ସରକାରଙ୍କ ଏଭଳି ପଦକ୍ଷେପ ଛୁରାଘାତ ବୋଲି ସିଆଟିୟୁ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛି । ଏହାକୁ ସିଆଟିୟୁ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ ଶ୍ରମିକମାନଙ୍କ ଦୈନିକ ଆଠ ଘଣ୍ଟା କାମ କରିବା ପାଇଁ ନିୟମ ପ୍ରଣୟନ କରିବା ଏବଂ ଦୈନିକ ୬ ଶହ ଟଙ୍କା ମଜୁରୀ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଲଖ ବିହାରୀ ମୁଦୁଲି, ଏସ ଏ କରିମ, ଆଲୋକ ଚନ୍ଦ୍ର ପ୍ରଧାନ, ଅମୀୟ ପଟ୍ଟନାୟକ, ପବିତ୍ର ଇନ୍ଦ୍ରଜିତ ପ୍ରମୂଖ ସାମିଲ ହୋଇଥିଲେ ।