ଆର୍ଥୀକ ଅନିୟମିତତା, ଗୋଡ଼ିପଲ୍ଲୀ ପିଇଓ ନିଲମ୍ବିତ

ନୟାଗଡ଼, ଏନ୍ଏନ୍ଏସ୍ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଲ୍ଲୀ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି । ସରକାରୀ ଅର୍ଥକୁ ଆତ୍ମସାତ କରିବା ସହ କରୋନା ଭଳି ବିପତ୍ତି ସମୟରେ ନିଜର ଦାୟିତ୍ୱ ନତୁଲାଇବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି ଗୋଡ଼ିପଲ୍ଲୀ ପଂଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ବିଶ୍ୱାଳଙ୍କୁ । ଶ୍ରୀ ବିଶ୍ୱାଳ ପଂଚାୟତକୁ ଆସିଥିବା ସିଏଫସି ପାଣ୍ଠିରୁ ୨ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ନେଇ ହଡ଼ପ କରିଥିବା ଅଭିଯୋଗ ଆସିଥିଲା । ଗୋଡ଼ିପଲ୍ଲୀ ସରପଂଚ ଲିଙ୍ଗରାଜ ପାତ୍ରଙ୍କ ଅଜାଣତରେ ହସ୍ତଖତ ଜାଲିଆତି କରି ପିଇଓ ଟଙ୍କା ହଡ଼ପ କରିଥିଲେ । ଘଟଣା ସଂମ୍ପର୍କରେ ସରପଂଚ ଜାଣିବା ପରେ ଓଡ଼ଗାଁ ବିଡିଓ, ପିଡି ଡିଆରଡିଏ ଏବଂ ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଡିପିଓ ରତିକାନ୍ତ ଆଚାର୍ଯ୍ୟଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଡିପିଓ ପଂଚାୟତରେ ପହଂଚି ଘଟଣାର ଖୋଳତାଡ଼ କରିବା ପରେ ପଂଚାୟତ ନିର୍ବାହୀ ଅଧିକାରୀ ଦୁଇ ଲକ୍ଷ ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ହୋଇଥିଲା । ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଇଓଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଏଥିସହିତ ପିଇଓ ଜଣଙ୍କ ସର୍ବଦା ଅନ୍ୟକୁ ଦୁର୍ବ୍ୟବହାର କରିବା ସହ ପଂଚାୟତ କାର୍ଯ୍ୟାଳୟରେ ମଦ ପିଇ ଅଶୋଭନୀୟ ଆଚରଣ ପଦର୍ଶନ କରିବା ଭଳି ଅଭିଯୋଗ ତାଙ୍କ ନାମରେ ରହିଥିବା ଜଣାପଡ଼ିଛି।

ଏପରିକି କରୋନା ମହାମାରୀ ମୁକାବିଲା ଭଳି ସମୟରେ ପଂଚାୟତକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ପଂଚାୟତ ସଂଗରୋଧ କେନ୍ଦ୍ର ପ୍ରବାସୀଙ୍କ ରହିବା, ଖାଇବା ବ୍ୟବସ୍ଥା ଦାୟିତ୍ୱ ସରପଂଚ ଓ ପିଇଓଙ୍କୁ ଦିଆଯାଇଛି । ମାତ୍ର ଗୋଡ଼ିପଲ୍ଲୀ ପଂଚାୟତରେ ସରପଂଚ ସବୁ କାମ କରୁଥିବା ବେଳେ ଏହି ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପାଦ ପଂଚାୟତରେ ମାସକର ଅଧାଦିନ ପଡ଼ୁନଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତି ଗ୍ରସ୍ତ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବାରୁ ଅଂଚଳ ବାସୀ ସାଧୁବାଦ ଜଣାଇଛନ୍ତି ।