ହୁତୁହୁତୁ ଜଳିଲା ଦିଲ୍ଲୀର ରେଳ ଗୋଦାମ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ଦିଲ୍ଲୀର ସବଜି ମଣ୍ଡି ଥାନା ଅଞ୍ଚଳରେ ଥିବା ରେଲୱେ ତାର ଗୋଦାମରେ ଭୟାବହ ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ସବଜି ମଣ୍ଡି ଥାନା ଅଞ୍ଚଳରେ ଥିବା ରେଲୱେ ତାର ଗୋଦାମରେ ରବିବାର ଅପରାହ୍ନରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା। ଗୋଦାମରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା। ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଥିଲା।

ନିଆଁର ଭୟାବହତା ଅଧିକ ଥିବାରୁ ୧୬ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ବେଳେ ୮୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ତେବେ, ଅଗ୍ନିକାଣ୍ତର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।