ବଲାଙ୍ଗିର,ଏନ୍ଏନ୍ଏସ୍: ପ୍ରେମ ମାନିଲାନି ବନ୍ଧବାଡ । ସାତ ସମୁଦ୍ର ପାରିହୋଇ ବଲାଙ୍ଗୀରର ବୋହୂ ସାଜିଲେ ଜର୍ମାନୀର ଝିଅ ଏମା । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ଭାରତୀୟ ବୋହୂ ସାଜିଛନ୍ତି । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ବଲାଙ୍ଗୀର ଦେଢ଼ ଗାଁରେ ।
ସାଧାରଣ ବିବାହ ଉତ୍ସବରୁ ଏହି ବିବାହ ଉତ୍ସବ ଟିକେ ନିଆରା ଥିଲା । କାରଣ ବିବାହରେ ପୁଅ ଭାରତୀୟ ହୋଇ ଥିବାବେଳେ ଝିଅ ଥିଲେ ବିଦେଶୀ । ଦେଢ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀ ମ୍ୟୁନିମ ସହରରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି । ସେଠାରେ ଜର୍ମାନୀ ସ୍ଲୋଭେନିଆ ସହରର ଏମା. ବିଧମ ଶେଖ ନାମକ ଝିଅ ମଧ୍ୟ କାମ କରନ୍ତି । କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ତିନି ବର୍ଷ ପ୍ରେମ ସମ୍ପର୍କ ପରେ ପୁଅ ଝିଅ ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନ କଥା ଜଣାଇଥିଲେ ।
ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହେବା ପରେ ଭାରତୀୟ ସଂସ୍କୃତିରେ ଚଳିତ ମାସ ୨୦ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ସମ୍ପନ୍ନ ହୋଇଛି । ରବିବାର ପୁଅର ନିଜର ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥିଲା । ତେବେ ଜର୍ମାନୀ ଝିଅ ତଥା ଏମା ବାହାଘର ଭୋଜିରେ ସ୍ୱାମୀଙ୍କ ସହ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି ।
ଏମାନଙ୍କ ପରିବାରରୁ ଆମେରିକା, କ୍ରୋଏସିଆ, ସ୍ଲୋଭେନିଆରୁ ୧୩ ଜଣ ଏହି ବିବାହରେ ସାମିଲ ହୋଇଛନ୍ତି । ସେମାନେ ମଧ୍ୟ ଏହି ବିବାହରେ ଖୁସି ମନେଇବା ସହ ଭାରତୀୟ ସଂସ୍କୃତି, ପରମ୍ପରା ଗାଁର ପରିବେଶ ଦେଖି ବହୁତ ଖୁସିବ୍ୟକ୍ତ କରିଛନ୍ତି । ବିବାହକୁ ନେଇ ପୁଅଙ୍କ ପରିବାର ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ସେହିପରି ଦେଢ଼ଗାଁ ଲୋକେ ମଧ୍ୟ ବିଦେଶୀ ବୋହୂ ପାଇ ବହୁତ ଖୁସି ଥିବାବେଳେ ଏହି ବିବାହକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ହେଉଛି ।