ମାସୁଦ ଆଝାର ସମେତ ୧୯ ଜଣଙ୍କ ବିରୋଧରେ ଏନ୍ଆଇଏର ଚାର୍ଜସିଟ୍

ନୂଆଦିଲ୍ଲୀ, ଏଜେନ୍ସି: ୨୦୧୯ ଫେବ୍ରୁଆରୀରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମଙ୍ଗଳବାର ଚାର୍ଜସିଟ ଦାଖଲ କରିଛି। ପ୍ରାୟ ୧୩,୫୦୦ ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର, ତା ଭାଇ ଅବଦୁଲ ରୌଫ ଅସଗରଙ୍କୁ ମୁଖ୍ୟ ଷଡଜନ୍ତ୍ରକାରୀ ଭାବରେ ଦର୍ଶାଯାଇଛି। ଏହି ଚାର୍ଜସିଟରେ ମଧ୍ୟ ମୃତ ଆତଙ୍କବାଦୀ ଉମର ଫାରୁକ ଓ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦରକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି। ପୁଲୱାମା ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ୬ ଜଣଙ୍କୁ ମଧ୍ୟ ଏହି ଆକ୍ରମଣରେ ସମ୍ପୃକ୍ତି ଥିବା ଦର୍ଶାଯାଇଛି। ଏନଆଇଏ ପକ୍ଷରୁ ଦାଖଲ ଏହି ଚାର୍ଜସିଟରେ ଆତଙ୍କବାଦୀଙ୍କ ଟେଲିଫୋନ କଲ ବିବରଣୀ, ଫୋରେନସିକ ତଥ୍ୟକୁ ପ୍ରମାଣ ଭାବେ ଦର୍ଶାଯାଇଛି। ଏହି ଆକ୍ରମଣ ପାଇଁ ଖଣି ଅଞ୍ଚଳରୁ ବିସ୍ଫୋରକ ସଂଗ୍ରହ କରାଯାଇଥିଲା ବୋଲି ଏନଆଇଏ କହିଛି। ସୂଚନାଯୋଗ୍ୟ ଗତ ବର୍ଷ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ।