‘ଯାହାକୁ ରଖିବେ ଅନନ୍ତ’…,୨୦ ଘଣ୍ଟାପରେ ୪ ବର୍ଷର ଶିଶୁ ଉଦ୍ଧାର : ୧୨ ମୃତ

ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣା

ରାଇଗଡ଼,ଏଜେନ୍ସି: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’। ଏହାର ଅର୍ଥ ଈଶ୍ୱର ଯାହାଙ୍କୁ ରକ୍ଷା କରିବେ ବିଶ୍ୱର କୌଣସି ଶକ୍ତି ତାଙ୍କ ଅନିଷ୍ଟ କରିପାରିବ ନାହିଁ। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ । ଗତକାଲି ସେଠାରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡିବା ଫଳରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ୬୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଧ୍ୱଂସସ୍ତୂପ ତଳୁ ଜଣେ ୪ ବର୍ଷର ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଶିଶୁଟିର ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲେ  ମଧ୍ୟ ବିଶେଷ କିଛି କ୍ଷତି ହୋଇନାହିଁ। ଏବେ ମଧ୍ୟ ଭଗ୍ନାଂବଶେଷ ତଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ପ୍ରକାଶ ଯେ, ଗତକାଲି ବିଲ୍ଡିଂ ଭୁଶୁଡିପଡିବାରୁ ଏହା ମଧ୍ୟରେ ୧୦୦ ରୁ ଅଧିକ ଲୋକ ଫସି ରହି ଯାଇଥିଲେ। ଏନଡିଆରଏଫ୍ ଟିମ୍ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ  ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ୩ଟି ଏନଡିଆରଏଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ୧୧ଟି ଟିମ୍ ଘଟଣାସ୍ଥଳରେ ରହି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଏହି ୫ ମହଲା ବିଶିଷ୍ଟ କୋଠାଟି ପ୍ରାୟ ୭ ବର୍ଷ ତଳେ ନିର୍ମାଣ ହୋଇଥିଲା। ଏଥିରେ ୪୫ଟି ଫ୍ଲାଟ ରହିଥିଲା।