ପାଟଣା,ଏନ୍ଏନ୍ଏସ୍: ପ୍ରେମ ପାଇଁ ନିଜ ଜନ୍ମିତ ଶିଶୁକୁ ଛାଡି ଦ୍ୱିତୀୟ ବିବାହ କଲେ ମହିଳା। ଏଭଳି ଘଟଣା ଘଟିଛି ପାଟଣା ଥାନା ମଲ୍ଲୀପଶି ଗ୍ରାମରେ। ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ ମଲ୍ଲୀପଶି ଗ୍ରାମର ସୁଦାମ ନାଏକ ଗତ ୨୦୧୫ ମସିହାରେ ଚକ ନିକଟସ୍ଥ ରଙ୍ଗାମାଟିଆ ଗ୍ରାମର ନୂଆ ସାହିର ସୁଭଦ୍ରା ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ଅଛି।
ଗତ ୫ ତାରିଖ ଦିନ ସୁଦାମଙ୍କ ସ୍ତ୍ରୀ ସୁଭଦ୍ରା ଘରୁ କୁଆଡେ ପଳାଇଯାଇଥିଲେ। ଏନେଇ ସୁଦାମ ପାଟଣା ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଏତଲା ଦେଇଥିଲେ। କିନ୍ତୁ ଗତକାଲି ନିଖୋଜ ପତ୍ନୀ ନିଜ ପ୍ରେମିକ ସହିତ ପାଟଣା ଥାନାରେ ପହଞ୍ଚି ତାଙ୍କ ସହିତ ସାରା ଜୀବନ ରହିବେ ବୋଲି ରୋକଠକ ଶୁଣାଇଥିଲେ। ଏଥିରେ ନିଖୋଜ ପତ୍ନୀଙ୍କ ସ୍ୱାମୀ ସୁଦାମ ନିରୁପାୟ ହୋଇପଡ଼ିଥିଲେ। ପରେ ପାଟଣା ଥାନାରେ ଉଭୟଙ୍କୁ ପକ୍ଷରୁ ମତ ରଖି ପ୍ରେମିକ ସହିତ ବିବାହିତା ମହିଳାଙ୍କୁ ପଠାଇଥିବା ଜଣାପଡ଼ିଛି। ମା’ର ପ୍ରେମ ଆଗରେ ବଳି ପଡିଯାଇଛି ୪ ବର୍ଷର ଶିଶୁ କନ୍ୟା, ଯାହାକି ଏବେ ପାଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।