ଦିବ୍ୟାଙ୍ଗଙ୍କ ବାହାଘର କରାଇଲେ ଗ୍ରାମବାସୀ

ଖଇରା,ଏନ୍ଏନ୍ଏସ୍: ଆର୍ଥିକ ଅବସ୍ଥା ଭଲ ନଥିବାରୁ ବିବାହ ପାଇଁ ବୟସ ଗଡି ଯାଇଥିଲେ ମଧ୍ୟ ଦିବ୍ୟାଙ୍ଗ ପୁଅ ଏବଂ ଦିବ୍ୟାଙ୍ଗ ଝିଅ ପାଇଁ ଉପଯୁକ୍ତ ପ୍ରାଥୀ ଠିକ୍ କରିପାରୁନଥିଲେ ଉଭୟ ପରିବାରର ଲୋକେ। ଏଭଳି ପରିସ୍ଥିତିରେ ସହାୟତା ପାଇଁ ଆଗେଇ ଆସିଥିଲେ ଗ୍ରାମବାସୀ। ସେମାନେ ଉଭୟ ଦିବ୍ୟାଙ୍ଗ ପୁଅ ଓ ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧିଛନ୍ତି। ଏଭଳି ଏକ ଆଦର୍ଶ ବାହାଘର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଜଳଦା ପଞ୍ଚାୟତ ସମ୍ପେଇ ଗ୍ରାମରେ ଥିବା ଲଷ୍ମୀନାରାୟଣ ମଣ୍ଡପରେ।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ମାୟାଧର ଜେନାଙ୍କ ପୁଅ ନିରଞ୍ଜନ ଜେନା(୩୪) ଜନ୍ମରୁ କଥା କହି ପାରୁ ନାହାନ୍ତି। ଦିବ୍ୟାଙ୍ଗ ହେବା ସହିତ ବିବାହ ପାଇଁ ବୟସ ଗଡି ଯାଉଥିଲେ ମଧ୍ୟ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପୁଅ ପାଇଁ କନ୍ୟାଟିଏ ଖୋଜି ବାହାଘର କରି ପାରୁନଥିଲେ ପରିବାର ଲୋକେ। ସେମାନଙ୍କର ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି। ଗ୍ରାମର ଦିବ୍ୟାଙ୍ଗ ନିରଞ୍ଜନ ସହିତ ସୋର ବ୍ଲକ୍ କୁଚିଆକୋଇଲି ଗ୍ରାମର ସନାତନ ବେହେରାଙ୍କ ଝିଅ ସୁକାନ୍ତି ବେହେରା(୨୪)ଙ୍କ ସହିତ ହିନ୍ଦୁ ରୀତିନୀତିରେ ବାହାଘର ସମ୍ପନ୍ନ କରାଇଛନ୍ତି।

ସୁକାନ୍ତି ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ ଏବଂ ତାଙ୍କ ପରିବାରର ମଧ୍ୟ ଆର୍ଥିକ ପରିସ୍ଥିତି ସ୍ଵଛଳ ହୋଇନଥିବାରୁ ଗ୍ରାମବାସୀମାନେ ଉଭୟ ପରିବାରର ସହିତ ଆଲୋଚନା କରି ଆଜି ଏହି ବିଭାଘର ସମ୍ପନ୍ନ କରିଥିଲେ। ଏଥିରେ ଗ୍ରାମର ବ୍ରହ୍ମାନନ୍ଦ ମାହାନା, କାଳନ୍ଦୀ ମାହାନା, ଲକ୍ଷ୍ମୀଧର ଗିରି, ଲମ୍ବୋଧର ମାହାନା, ଚକ୍ରଧର ଗିରି ପ୍ରମୁଖ ସାମିଲ ଥିଲେ। ସେହିପରି କରୋନା କଟକଣା ମାନି ଗ୍ରାମବାସୀମାନେ ତରଫରୁ ଏକ ଭୋଜିର ଆୟୋଜନ କରାଯାଇଥିଲା। ଗ୍ରାମବାସୀଙ୍କ ଏଭଳି ମହତ୍ତ୍ୱ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି।