ଦେବଗଡ଼,ଏନ୍ଏନ୍ଏସ୍: କୃଷିପ୍ରଧାନ ଦେବଗଡ଼ ଜିଲ୍ଲାରେ ଗତ କିଛି ବର୍ଷଧରି ଚାଷୀ ମକା ଓ ଚିନାବାଦାମ ଫସଲ କରି ଭଲ ଅମଳ କରୁଥିଲେ ମଧ୍ୟ ବଜାର ସମସ୍ୟା ଯୋଗୁ ଫସଲର ଉଚିତ ମୂଲ୍ୟ ପାଇ ପାରୁନଥିଲେ। ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଉଦ୍ୟମକ୍ରମେ ଜିଲ୍ଲାରୁ ପ୍ରଥମଥର ପାଇଁ ଆଜିଠାରୁ ମାର୍କଫେଡ଼ ସହାୟତାରେ ଚାଷୀଙ୍କଠାରୁ ଚିନାବାଦାମ କ୍ରୟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ପଂଚାୟତର ରାଜୀବ ସେବା କେନ୍ଦ୍ର ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସାମଲ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଜି ପ୍ରଥମ ଦିନରେ ୧୨୦ ଚାଷୀ ନାମ ପଞ୍ଜିକରଣ କରି କ୍ୱିଣ୍ଟାଲ ପିଛା ୫,୨୭୫ ଟଙ୍କାରେ ସେମାନଙ୍କ ଉପାର୍ଜିତ ଚିନାବାଦାମ ବିକ୍ରି କରିଥିଲେ। ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ବ୍ଲକର ଚାଷୀଙ୍କଠାରୁ ଚିନାବାଦାମ କ୍ରୟ କରାଯିବା ଲକ୍ଷ୍ୟ ରଖାଯାଇ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦୦ମେଟ୍ରିକ ଟନ ଚିନାବାଦାମ କ୍ରୟ କରିବାକୁ ମାର୍କଫେଡ଼କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୀବିକା ମିଶନର ସିଇଓ ସମ୍ବିତ ତ୍ରିପାଠୀ, ନିର୍ଦ୍ଦେର୍ଶକ ରତ୍ନାକର ତ୍ରିପାଠୀ, ମାର୍କଫେଡର ଆଞ୍ଚଳିକ ପରିଚାଳକ ପର୍ଶୁରାମ ପଣ୍ଡା, ଏଆରସିଏସ ନିମାଇଁ ନାୟକ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ମନୋଜ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କୁ ଉତ୍ସାହିତ କରିଥିଲେ।