ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ଉତ୍ସବ ଉଦଘାଟିତ

  • ଝଲସୁଛି ବେଳାଭୂମି, ଜଳକ୍ରୀଡାର ମଜା ନେଉଛନ୍ତି ପର୍ଯ୍ୟଟକ

କୋଣାର୍କ,ଏନ୍ଏନ୍ଏସ୍: କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁଖଣତା ସନ୍ନିକଟ ବେଳାଭୂମିର ସ୍ୱର୍ଣ୍ଣାମୀ ବାଲୁକାରାଶି ଓ ପ୍ରାଚୁର୍ଯ୍ୟ ଭରା ମନୋରମ ପରିବେଶ ମଧ୍ୟରେ ଆୟୋଜିତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉତ୍ସବ ସ୍ଥଳରେ ଥିବା ପର୍ଯ୍ୟଟକ ବିଶ୍ରାମଗାର,ବିଳାସପୂର୍ଣ୍ଣ କଟେଜ, ଫୁଡ୍ ଷ୍ଟଲ ଓ ସାଂସ୍କୃତିକ ମଣ୍ଡପ ପ୍ରଭୃତିର ଲୋକାର୍ପିତ କରିିଥିଲେ।

ପରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ଏହି ମହୋତ୍ସବ ସମୁଦ୍ର କୂଳରେ ମନୋରମ ପରିବେଶ ମଧ୍ୟରେ ପ୍ରଥମ ଥର ପାଇଁ ଗୁଜୁରାଟର ରାନ ମହୋତ୍ସବ ଢାଂଚାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି। ଏହି ଉତ୍ସବ ସ୍ଥଳୀରେ ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକମାଳାରେ ବେଳାଭୂମି କୂଳ ଏକ ରୁପସୀ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛି।

ଏହି ମହୋତ୍ସବରେ ପର୍ଯ୍ୟଟକମାନଙ୍କ ପାଇଁ ବିଳାସପୂର୍ଣ୍ଣ କଟେଜ, ଫୁଡ ଷ୍ଟଲ, ପାରା ମୋଟର୍ସ, ପାରା ସିଲିଂ, ବାଇସାଇକେଲ, ବ୍ୟାଟେରୀ ଚାଳିତ ଅଟୋ ସହ ଭାରତୀୟ ପରମ୍ପରା, ଲୋକକଳା ଓ ଶାସ୍ତ୍ରୀୟ ନୃତ୍ୟର ତାଳେତାଳେ ପର୍ଯ୍ୟଟକମାନେ ବେଳାଭୂମିର ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ମନୋରମ ଜଳକ୍ରୀଡାରେ ମତୁଆଲା ହୋଇଛନ୍ତି।

ଉଦଘାଟନୀ ସଂଧ୍ୟାରେ ୫୦ଟି ବିଳାସପୂର୍ଣ୍ଣ କଟେଜ ମଧ୍ୟରୁ ୨୦ଟି କଟେଜ ପର୍ଯ୍ୟଟକମାନଙ୍କ ପକ୍ଷରୁ ରାତ୍ରୀଯାପନ ପାଇଁ ବୁକିଂ କରାଯାଇଛି।

ଏହି ଅବସରରେ ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡିଶାର କାରିଗରି ଶିଳ୍ପର ପ୍ରଚାର ପ୍ରସାର ପାଇଁ ୧୦ଟି ଷ୍ଟଲ ମାଧ୍ୟମରେ ହସ୍ତତନ୍ତ ସାମଗ୍ରୀର ପସରା ମେଲିଥିବା ଦେଖିବାକୁ ମିଳିଛି।

ଏହି ମହୋତ୍ସବ ଦେଖିବାକୁ ପର୍ଯ୍ୟଟକ ସମେତ ସ୍ଥାନୀୟ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ୧୦ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ମହୋତ୍ସବ ଦୀର୍ଘ ଦେଢମାସ ଧରି ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ପ୍ରମୁଖ ପରିଚାଳନା କରିଥିଲେ। ଏଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ, ରାଜ୍ୟ କ୍ରୀଡା, ଯୁବସେବା ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ, ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀ, ପୁରୀଜିଲ୍ଲାପାଳ ବଲୱନ୍ତ ସିଂ ଓ ଏସପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ।