ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହତିଗାଁ ପଞ୍ଚାୟତର ଖାଲେପାରାରେ ମାଓବାଦୀମାନେ ଜଣେ ଯୁବକକୁ ପୁଲିସ ସମ୍ବାଦଦାତା ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ମାଓବାଦୀମାନେ ରାଇଘର ବ୍ଲକର ହାତୀଗାଁ ଗ୍ରାମର ଧରିଣୀଧର ମଲ୍ଲିକଙ୍କ ମଝିଆଁ ପୁଅ ଚନ୍ଦନ ମଲ୍ଲିକଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ନିକଟକୁ ନେଇଥିଲେ । ସେଠାରେ ଗ୍ରାମବାସୀଙ୍କୁ ଡକାଇ ଏକ ବୈଠକ ମଧ୍ୟ କରିଥିଲେ । ପରେ ଗ୍ରାମବାସୀଙ୍କୁ ଚାଲିଯିବାକୁ କହି ଦଉଡ଼ିରେ ବେକକୁ ବାନ୍ଧି ଶ୍ୱାସରୁଦ୍ଧ କରି ମାରିଥିବା ବେକ ଚିହ୍ନରୁ ଜଣାପଡୁଛି । ପୁଲିସର ସମ୍ବାଦଦାତା ଭାବେ କାମ କରୁଥିବା ଯୋଗୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ମୃତକଙ୍କ ପାଖରେ ପଡ଼ିଥିବା ଲିଫଲେଟରେ ଉଲ୍ଲେଖ କରାଯାଇଛି । ଏହି ମୃତ୍ୟୁ ପାଇଁ ନବରଙ୍ଗପୁର ଏସପି ଏବଂ ଗରୀୟାବନ୍ଦ ଏସପି ଦାୟୀ ବୋଲି ମଧ୍ୟ ଲେଖା ହୋଇଛି । ଏହି ଘଟଣା ପରେ ସମ୍ପୂର୍ଣ ହାତୀଗାଁ ଗ୍ରାମରେ ଲୋକଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି ।