ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସ୍ୱପ୍ନେଶ୍ୱର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଘଟଣା ପ୍ରକାରେ ସ୍ୱପ୍ନେଶ୍ୱର ସାହୁ ନିଜ ପରିବାର ସହ ୨ ଦିନ ପାଇଁ ଭଞ୍ଜନଗରସ୍ଥିତ ନିଜ ସମ୍ପର୍କୀୟଙ୍କ ଏକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ସେ ଭୁବନେଶ୍ୱର ଯାଇଥିଲେ। ୨ଦିନ ପରେ ଅର୍ଥାତ୍ ଗୁରୁବାର ସନ୍ଧ୍ୟା ସମୟରେ ଘରକୁ ଫେରିଥିବାବେଳେ ଘରର ମୁଖ୍ୟ କବାଟ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ପରେ ବାଲିଗୁଡ଼ା ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଶୁକ୍ରବାର ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ସ୍ୱପ୍ନେଶ୍ୱରଙ୍କ ଘରୁ ପ୍ରାୟ ୪୨ ଭରି ସୁନା, ପାଖାପାଖି ୫କେଜିର ରୂପା ଓ ନଗଦ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଅନ୍ୟପଟେ ପୁଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଦିନରାତି ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଅଞ୍ଚଳବାସୀଙ୍କ ଧନଜୀବନ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।