ମାଓବାଦୀଙ୍କ ଲଙ୍କାକାଣ୍ଡ,୯ରୁ ଅଧିକ ଗାଡ଼ି ପୋଡ଼ିବା ସହ ଚେତାବନୀ ପୋଷ୍ଟର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଲାଲ ତାଣ୍ଡବ ଘଟାଇଛନ୍ତି । କ୍ରସରରେ ଥିବା ୨ଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତ ରାତିରେ ମହିଳା ମାଓବାଦୀଙ୍କ ସମେତ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ କ୍ରସରକୁ ଆସି ଏହି ଘଟଣା ଘଟାଇଥିଲେ । ପ୍ରଥମେ ୫ଜଣ ମାଓବାଦୀ ସିକ୍ୟୁରିଟି ସମେତ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରି ସେମାନଙ୍କୁ ଗେଟ ପାଖରେ ରଖି ସେମାନଙ୍କଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀମାନେ କ୍ରସର ବ୍ୟବହୃତ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ । ଏଥିସହିତ ଯିବାବେଳେ କ୍ରସର୍ ଦ୍ୱାରା ଘଟୁଥିବା ପ୍ରଦୂଷଣକୁ ନେଇ ଚେତାବନୀ ପୋଷ୍ଟର ଛାଡ଼ିଥିଲେ । କ୍ରସର ଦ୍ୱାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁ ରାସ୍ତା ନଷ୍ଟ ଓ ପଥର ବ୍ଲାଷ୍ଟିଂ ଯୋଗୁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଲେଖାଯାଇଥିବାବେଳେ ଘଟଣା ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ତରଫରୁ ଘଟିଥିବା ଉଲ୍ଲେଖ ରହିଛି । ଖବର ପାଇ ମୁନିଗୁଡ଼ା ପୁଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିବା ସିକ୍ୟୁରିଟି ଦଳ କହିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୀର୍ଘ ଦିନ ପରେ ମାଓବାଦୀଙ୍କ ପଦଧ୍ୱନି ଓ ଲଙ୍କାକାଣ୍ଡ ଘଟଣା ପରେ ପୁଲିସ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଏ ।