ବାଲିଗୁଡ଼ା,ଏନ୍ଏନ୍ଏସ୍: ଚଳିତ ମାସ ୨୮ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ । ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ କନ୍ଧମାଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମା ଉପସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀରେ ୨ଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକରେ ଗୋଟିଏ ଲେଖାଏଁ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିବ ଜଣାପଡ଼ିଛି। ଏସବୁ ପୋଷ୍ଟରରେ ରଡ଼ିଗୁମାର ରମେଶ ନାୟକ ଓ ଓଁଡ଼ାଙ୍ଗମାଳର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛି । ସେଥିରେ ପୁଲିସର ଇନଫର୍ମର ନ ସାଜିବା, ଝିଅ ବୋହୁଙ୍କ ବଦନାମ ହେଲା ପରି କାମ ନ କରିବା ଓ ଜନ ବିରୋଧୀ କାର୍ଯ୍ୟ ନକରିବା କୁହାଯିବା ସହ ଅଞ୍ଚଳ ଛାଡ଼ି ଚାଲିଯିବା ଲାଗି ଧମକ ମଧ୍ୟ ଦିଆଯାଇଛି । ଏକଥା ନ ଶୁଣିଲେ ଜନ ଅଦାଲତରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଚେତାବନୀର ତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି । ଆଗକୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀମାନେ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ ସେବା ଯାତାୟାତ ବନ୍ଦ ରହିବ ବୋଲି ଜଣାପଡ଼ିଛି । ପୁଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡ଼ିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡ଼ା, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଆଦି ଥାନା ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରିବା ବିଷୟରେ କନ୍ଧମାଳର ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।